ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଏଆଇସିସି ସହ-ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓରଫ ‘କୋକୋ ପାଢ଼ୀ’ ବିଧିବଦ୍ଧ ଭାବେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଆଗାମୀ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ‘ସମ୍ବିଧାନ ରକ୍ଷା ରାଲି’କୁ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କଂଗ୍ରେସ ଭବନଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କୋକୋ ପାଢ଼ୀ କହିଛନ୍ତି ବର୍ତ୍ତମାନ ସମୟରେ ଦେଶରେ ଗଣତନ୍ତ୍ର ବିପଦାପନ୍ନ ଅବସ୍ଥାରେ ଅଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷର ସମ୍ବିଧାନ ଦିବସ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସମ୍ବିଧାନର ସୁରକ୍ଷା ନିମନ୍ତେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୬ ଗୁରୁବାର ଦିନ ଭୁବନେଶ୍ୱରରେ ହେବାକୁ ଥିବା ‘ସମ୍ବିଧାନ ରକ୍ଷା ରାଲି’ରେ ରାଜ୍ୟର ସମସ୍ତ ସଚେତନ ନାଗରିକମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି। ବୁଧବାର ମଧ୍ୟାହ୍ନରେ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ଓ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ତାଙ୍କୁ କଂଗ୍ରେସ ଭବନକୁ ନିଆଯାଇଥିଲା। ସେଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ସଂଗଠନ ଉପସଭାପତି ସନ୍ତୋଷ ସିଂ ସାଲୁଜା, ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର ଏବଂ ବିଧାୟକ ପ୍ରଫୁଲ୍ଲ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏଆଇସିସି ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଓଡ଼ିଶା ସହ ଭାବଗତ ଓ ଆତ୍ମିକ ସମ୍ପର୍କ ରଖିଥିବା ଜଣେ ଯୁବନେତାଙ୍କୁ ସଂଗଠନର ଦାୟିତ୍ୱ ମିଳିବା ଦଳକୁ ନୂଆ ଶକ୍ତି ଦେବ। ଆସନ୍ତାକାଲିର ରାଲି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରୁ ଅନ୍ୟୂନ ୧୦ରୁ ୧୫ ହଜାର ଲୋକ ଏଥିରେ ଯୋଗଦେବେ ଏବଂ ପ୍ରାୟ ୫ ହଜାର ବାଇକ୍ରେ ନେତା ଓ କର୍ମୀମାନେ ସାମିଲ ହେବେ। ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ପରିବାର ଦୀର୍ଘ ବର୍ଷ ଧରି ଛତିଶଗଡ଼ରେ ରହିଆସୁଛନ୍ତି। ପୂର୍ବରୁ ସେ ଛତିଶଗଡ଼ ରାଜ୍ୟ ଯୁବ କଂଗ୍ରେସ ସଭାପତି, ରାଷ୍ଟ୍ରୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ଏଆଇସିସିର ବିଭିନ୍ନ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଦିଲ୍ଲୀ କଂଗ୍ରେସ ମହଲରେ ସେ ‘କୋକୋ’ ନାମରେ ସୁପରିଚିତ। Post navigation Orissa HC Halts OHRC Fine: ମାନବାଧିକାର କମିଶନଙ୍କ ଖାରଜ ଆଦେଶ ଉପରେ ହାଇକୋର୍ଟଙ୍କ ରୋକ୍; ପୋଲିସ୍ ଓ ଭିଜିଲାନ୍ସକୁ ନୋଟିସ୍