ରାଜ୍ୟର ଲକ୍ଷ ଲକ୍ଷ ପେନସନ୍ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ମଧୁବାବୁ ପେନସନ୍ ଯୋଜନାରେ ବାକି ରହିଯାଇଥିବା ନୂତନ ହିତାଧିକାରୀ ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଆସନ୍ତା ନଭେମ୍ବର ୨୫ ତାରିଖ ଦିନ ଭତ୍ତା ପ୍ରଦାନ କରାଯିବ। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେବା ସହ ହିତାଧିକାରୀମାନେ ନିଜ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରୁ ଏହି ଭତ୍ତା ସଂଗ୍ରହ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ମୋଟ ୫,୦୫,୮୧୭ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହା ପରେ ନଭେମ୍ବର ୧୧ ଓ ୧୨ ତାରିଖରେ ଜିଲ୍ଲାସ୍ତରୀୟ ଏବଂ ୧୩ ଓ ୧୪ ତାରିଖରେ ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ହିତାଧିକାରୀମାନଙ୍କୁ ଭତ୍ତା ଦିଆଯାଇଥିଲା। ତେବେ କୌଣସି କାରଣବଶତଃ ଯେଉଁ ନୂତନ ହିତାଧିକାରୀମାନେ ଏପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଆସନ୍ତା ୨୫ ତାରିଖରେ ନିଜ ପଞ୍ଚାୟତ କିମ୍ବା ୱାର୍ଡ ଅଫିସରେ ଭତ୍ତା ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ବ୍ୟାଙ୍କ-ଲିଙ୍କ୍ ଥିବା ରାଜ୍ୟର ୧୯,୬୩,୯୫୯ ଜଣ ହିତାଧିକାରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ହିତାଧିକାରୀମାନଙ୍କୁ ଅକ୍ଟୋବର ଏବଂ ନଭେମ୍ବର ମାସର ଓଡ଼ିଶା ସରକାରଙ୍କ ରାଜ୍ୟ ଅଂଶ ଟଙ୍କା ନଗଦ ଆକାରରେ ନଭେମ୍ବର ୨୫ ତାରିଖ ଦିନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ପ୍ରଦାନ କରାଯିବ। ତେବେ କେନ୍ଦ୍ର ସରକାରଙ୍କ ଭାଗ ଟଙ୍କା ପୂର୍ବ ଭଳି ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ଯୋଜନା ଅଧୀନରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଭତ୍ତା ରାଶିର ବିବରଣୀ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ୍ ଯୋଜନାରେ ୬୦ରୁ ୭୯ ବର୍ଷ ବୟସ୍କ ହିତାଧିକାରୀଙ୍କୁ ମୋଟ ୧୦୦୦ ଟଙ୍କା ମିଳୁଥିବା ବେଳେ ୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସ୍କଙ୍କୁ ମୋଟ ୩୫୦୦ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ୍ ଯୋଜନାରେ ୪୦ରୁ ୭୯ ବର୍ଷ ବୟସ୍କଙ୍କୁ ମୋଟ ୧୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମୋଟ ୩୫୦୦ ଟଙ୍କା ମିଳୁଛି। ଏହା ବ୍ୟତୀତ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମତା ଥିବା ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ପେନସନ୍ ଯୋଜନାରେ ୧୮ରୁ ୭୯ ବର୍ଷ ବୟସ ପର୍ଯ୍ୟନ୍ତ ମୋଟ ୩୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ମୋଟ ୩୫୦୦ ଟଙ୍କା ପ୍ରଦାନ କରାଯାଉଛି। Post navigation BBSR to Get 9-Storey Revenue Bhawan: ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱ ଭବନ; ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି ଟଙ୍କା