ରାଜ୍ୟର ଚାଷୀକୂଳଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର। ଚଳିତ ବର୍ଷ ସମଗ୍ର ରାଜ୍ୟରୁ ମୋଟ ୯୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ସରକାର ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯେଉଁଥିରୁ କେବଳ ଖରିଫ ଋତୁରେ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯିବ। ଧାନ ବିକ୍ରି କରିବା ପାଇଁ ଏପର୍ଯ୍ୟନ୍ତ ୨୨.୨୭ ଲକ୍ଷ ଚାଷୀ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି, ଯାହାକି ଗତ ବର୍ଷର ୧୯.୬୭ ଲକ୍ଷ ତୁଳନାରେ ପ୍ରାୟ ୧୩ ପ୍ରତିଶତ ଅଧିକ। ଶନିବାର ଲୋକସେବା ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି। ନିକଟରେ ହୋଇଥିବା ବାତ୍ୟା ଓ ବନ୍ୟା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ, ଅମଳର ସ୍ଥିତିକୁ ପରଖି ଜିଲ୍ଲା ସ୍ତରୀୟ କମିଟିଗୁଡ଼ିକ ଧାନ ସଂଗ୍ରହ ଆରମ୍ଭ ନେଇ ତ୍ୱରିତ ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ୨୦୨୬ ନଭେମ୍ବର ୧ ତାରିଖରୁ ୨୦୨୭ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ଏବଂ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ସ୍ଥିତି ଦେଖି ମଣ୍ଡି ଖୋଲିବା ତାରିଖ ସ୍ଥିର କରିବେ। ବିଶେଷ କରି କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ ଏବଂ ଭାଗଚାଷୀଙ୍କୁ ଏଥିରେ ଅଗ୍ରାଧିକାର ଦିଆଯିବା ସହ ଧାନ ବିକ୍ରିର ମାତ୍ର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଇନପୁଟ୍ ସହାୟତା ସହ ସାଧାରଣ କିସମ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସଂଗ୍ରହ ପ୍ରକ୍ରିୟାରେ ଶତପ୍ରତିଶତ ସ୍ୱଚ୍ଛତା ଆଣିବା ପାଇଁ ଏଥର ବୈଷୟିକ ଜ୍ଞାନକୌଶଳର ସହାୟତା ନିଆଯାଉଛି। ସମସ୍ତ ଜିଲ୍ଲାରେ ଧାନ ଚାଷ ଜମିର ସାଟେଲାଇଟ୍ ମ୍ୟାପିଂ ଶେଷ ହୋଇଥିବା ବେଳେ ପଞ୍ଜୀକରଣ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି ଏବଂ ମଣ୍ଡିରେ ଆଧାର ଭିତ୍ତିକ ଯାଞ୍ଚ ପରେ ହିଁ ଧାନ କିଣାଯିବ। କେବଳ ସେତିକି ନୁହେଁ, ଗତ ୨୦୨୪-୨୫ ଖରିଫ ଋତୁର କଷ୍ଟମ ମିଲ୍ଡ ରାଇସ୍ ବାବଦରେ କୌଣସି ବକେୟା ରଖିନଥିବା ଏଜେନ୍ସିଗୁଡ଼ିକୁ ହିଁ ଚଳିତ ଥର ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ। ରାଜ୍ୟବ୍ୟାପୀ ୩,୦୦୧ଟି ପ୍ରାଥମିକ କୃଷି ସମବାୟ ସମିତି , ୧,୪୬୧ ଜଣ କଷ୍ଟମ ମିଲର ଏବଂ ୪,୦୧୭ଟି ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟ ସମ୍ପାଦିତ ହେବ। ଏଥିପାଇଁ ଏଫ୍ସିଆଇ ଏବଂ ରାଜ୍ୟ ଯୋଗାଣ ନିଗମର ୧୬୧ଟି ଗୋଦାମରେ ୬.୬୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରଖିବାର ବ୍ୟବସ୍ଥା କରାଯାଇଛି। ମଣ୍ଡିଗୁଡ଼ିକରେ ଚାଷୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପାନୀୟ ଜଳ, ଶୌଚାଳୟ, ଆଲୋକ, ବିଶ୍ରାମ ସ୍ଥଳ, ଛାତ ଥିବା ପିଣ୍ଡି ଏବଂ ୨୪ ଘଣ୍ଟିଆ ସିସିଟିଭି ନଜରଦାରୀ ରଖିବାକୁ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ‘କଟନି-ଛଟନି’ ଭଳି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପ୍ରତି ମଣ୍ଡିରେ ନୋଡାଲ ଅଫିସର ଓ ସୁପରଭାଇଜର ମୁତୟନ ହେବା ସହ ପଡ଼ୋଶୀ ରାଜ୍ୟରୁ ବେଆଇନ ଧାନ ପ୍ରବେଶ ରୋକିବାକୁ ସୀମାରେ ପୋଲିସ, ପରିବହନ, ରାଜସ୍ୱ ଓ ଯୋଗାଣ ବିଭାଗ ପକ୍ଷରୁ କଡ଼ା ପହରା ଦିଆଯିବ। ଚାଷୀଙ୍କ ଯେକୌଣସି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଯୋଗାଣ ନିଗମ ପକ୍ଷରୁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୬୭ ଜାରି କରାଯାଇଛି, ଯେଉଁଠାରେ ୩୦ ଜଣ କର୍ମଚାରୀ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ। Post navigation पीएम मोदी ने बिहार में छह लेन वाले नीतीश सेतु का उद्घाटन किया