ଗଞ୍ଜାମ ବନ୍ୟା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ଥିଲା ବୋଲି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ମତ ସତ ପ୍ରମାଣିତ ହୋଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଯେ କି ଦୀର୍ଘ ୫ ବର୍ଷ କାଳ ଜଳସମ୍ପଦ ସଚିବ ଦାୟିତ୍ବରେ ଥିଲେ, ଏହି ମନୁଷ୍ୟକୃତ ବନ୍ୟା ବିଷୟରେ ରବିବାର ତଥ୍ୟ ପ୍ରମାଣଯୁକ୍ତ ଭିଡିଓ ଜାରି କରିବା ପରେ ଏ ନେଇ ସରକାରଙ୍କ ପକ୍ଷରୁ ଆଉ ବୋଧହୁଏ ଆଉ କିଛି କହିବାର ନାହିଁ ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି । ଗଂଜାମ କୃଷିରେ ସମୃଦ୍ଧ ଓ ଏହାର ଚାଷୀମାନେ ପରିଶ୍ରମୀ । ଏ ଥରର ଏହି ମନୁଷ୍ୟକୃତ ବନ୍ୟା ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି । ତେଣୁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ପିସିସି ପକ୍ଷରୁ ଶ୍ରୀ ଦାସ ଦାବି କରିଛନ୍ତି । ବାତ୍ୟା ନ ସରୁଣୁ ମୁଖ୍ୟମନ୍ତ୍ରୀ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ସାଧନ ହେଲା ବୋଲି ବାହାସ୍ଫୋଟ ମାରୁଥିଲେ । ଦୁଇ ଚାଷୀଙ୍କ ଆତ୍ମହତ୍ୟା କ’ଣ କାଜୁଆଲିଟି ନୁହେଁ ? କନ୍ଧମାଳ ଭୂସ୍ଖଳନ ଯୋଗୁଁ ୧୨ ଜଣ ଜୀବନ୍ତ ସମାଧି ଭୋଗିବା କ’ଣ କାଜୁଆଲିଟି ନୁହେଁ ? ଭାଗ୍ୟ ଭଲ, ବନ୍ୟାଜଳ ୨୯ ତାରିଖ ଦିନବେଳା ଆସିଲା, ନହେଲେ କ’ଣ ଯେ ଅବସ୍ଥା ହୋଇଥା’ନ୍ତା ଓ କେତେଜଣଙ୍କ ଜୀବନ ଯାଇଥା’ନ୍ତା, ମୁଖ୍ୟମନ୍ତ୍ରୀ ଭାବିପାରୁଛନ୍ତି ତ ? ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଏହି ମନୁଷ୍ୟକୃତ ବନ୍ୟାର ଉତ୍ତରଦାୟିତ୍ବ ନିଜ ମୁଣ୍ଡକୁ ନେବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

ସୁରେଶ ମହାପାତ୍ରଙ୍କ ଉକ୍ତ ଭିଡିଓ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି, ଆଇଏମଡି କେବେ ସତର୍କ କଲା ଓ ସେତେବେଳେ ଋଷିକୂଲ୍ୟା ଓ ଏହାର ଉପନଦୀଗୁଡ଼ିକରେ କେତେ ପାଣି ଥିଲା ? ଜଳ ପରିଚାଳନା ଆହୁରି ଭଲ କରାଯାଇପାରିଥା’ନ୍ତା କି ? ୨୦୧୩ ଫାଇଲିନ୍ ବେଳେ ଶ୍ରୀ ମହାପାତ୍ର ନିଜେ ବନ୍ୟା ପରିଚାଳନା ଦାୟିତ୍ବରେ ଥିଲେ । ସେ ଥର ଗଂଜାମରେ ୨୨୦-୨୪୦ କିମି ପବନର ଗତି ଥିଲା । ସମଗ୍ର ଗଂଜାମ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା । ସେତେବେଳେ ଡ୍ୟାମ୍‌ରେ ଜଳସ୍ତରର ଉଚ୍ଚତା ୫୦%କୁ ଖସାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ଅତି ପ୍ରବଳ ବର୍ଷାରେ ବି ଡ୍ୟାମ୍‌ର ଗେଟ୍ ହଠାତ କରି ଖୋଲିବା ଦରକାର ହୋଇ ନ ଥିଲା । ତେଣୁ ବର୍ଷା ପରେ ବନ୍ୟାକୁ ନିୟନ୍ତ୍ରଣ କରିବା ସହଜ ହୋଇଥିଲା । ଋଷିକୂଲ୍ୟାର ବେସିନ୍ ଛୋଟ୍ । ମୋଟ୍ ମାତ୍ର ୧୫୦ କିମିର ନଦୀ । ଗଂଜାମରେ ମାତ୍ର ୧୦୦ କିମି । ସମୁଦ୍ରକୂଳରେ ଗଂଜାମ ଅଛି । ତେଣୁ ବହୁତ କମ୍ ସମୟରେ ଋଷିକୂଲ୍ୟା ପାଣି ସମୁଦ୍ରକୁ ନିଷ୍କାସିତ ହୋଇପାରେ । ହୀରାକୁଦ ଡ୍ୟାମ୍‌ରୁ ପାଣି ଛାଡ଼ିଲେ ୩ ଦିନରେ ସମୁଦ୍ରରେ ମିଶୁଥିବା ବେଳେ ଋଷିକୂଲ୍ୟାର ଯେ କୌଣସି ଡ୍ୟାମ୍‌ରୁ ପାଣି ଛାଡ଼ିଲେ ୧୦-୧୨ ଘଣ୍ଟାରେ ସମୁଦ୍ରରେ ପାଣି ମିଶେ । ବନ୍ୟା ସମୟରେ ଘଣ୍ଟାକୁ ୧୫ କିମି ଗତିରେ ଜଳ ପ୍ରବାହିତ ହୁଏ ।

ଗଂଜାମରେ ଇଣ୍ଟିଗ୍ରେଟେଡ୍ ଓ୍ବାଟର ମ୍ୟାନେଜମେଣ୍ଟ ସିଷ୍ଟମ ବ୍ରିଟିଶ ଅମଳରୁ ରହିଛି। ପୂର୍ବର ରସୁଲକୋଣ୍ଡା ଘାଇ (ଏବର ଭଂଜନଗର ଡ୍ୟାମ୍), ସୋରଡ଼ା ପରି ଡ୍ୟାମ୍ ୧୨୦-୧୩୦ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା। ଋଷିକୂଲ୍ୟାର ଉପନଦୀ ଓ ଶାଖାନଦୀ ଗୁଡ଼ିକରେ ମୋଟ ୬ଟି ବଡ଼ ଡ୍ୟାମ୍ ଅଛି । କ୍ୟାଚ୍‌ମେଣ୍ଟ ଏରିଆ ତୁଳନାରେ ଡ୍ୟାମ୍‌ଗୁଡ଼ିକ ବଡ଼ । ଘୋଡ଼ାହାଡ଼ ନଦୀରେ ଘୋଡ଼ାହାଡ଼ ଡ୍ୟାମ୍, ସୋରଡ଼ା ପାଖରେ ପଦ୍ମାନଦୀରେ ସୋରଡ଼ା ଡ୍ୟାମ୍ ରହିଛି। ଭଂଜନଗର ଉପରକୁ ଡହ ଡ୍ୟାମ୍ ଫୁଲବାଣୀ (କନ୍ଧମାଳ) ଜିଲ୍ଲାର ରାଇକିଆ ତଳକୁ ଥିବା ୩ ପଂଚାୟତ ନରମ୍ଭା, ଇନ୍ଦ୍ରଗଡ଼ ଓ କରଡ଼ାରୁ ଡହ ଡ୍ୟାମକୁ ପାଣି ଆସୁଛି । ଭଂଜନଗର ଡ୍ୟାମ୍ ବଡ଼, ଅଥଚ ଏହାର କ୍ୟାଚ୍‌ମେଣ୍ଟ ବହୁତ ଛୋଟ । ଇଣ୍ଟର-ବେସିନ୍ ଟ୍ରାନ୍ସଫର ହୋଇ ଅନ୍ୟ ନଦୀର ଉଦ୍‌ବୃତ୍ତ ଜଳ ଏହି ଡ୍ୟାମ୍‌କୁ ଆସିଥାଏ । ଋଷିକୂଲ୍ୟାର ବାମପଟେ ଆଉ ଦୁଇଟି ଡ୍ୟାମ୍ ଅଛି -ବାଘୁଆ ଓ ଧନେଇ । ଉପରୋକ୍ତ ୬ଟି ଯାକ ଡ୍ୟାମ୍ ମଧ୍ୟମ ଜଳସେଚନ ପ୍ରକଳ୍ପ। ତା’ଛଡ଼ା, ଓଡ଼ିଶାର ସବୁଠୁ ବେଶି ଏମଆଇପି (ହଜାର ସଂଖ୍ୟାରେ) ଗଂଜାମ ଜିଲ୍ଲାରେ ଅଛି। କାସ୍‌କେଡିଂ ବ୍ୟବସ୍ଥାରେ ବ୍ରିଟିଶରମାନେ ଉପରୁ ତଳକୁ ବ୍ୟବସ୍ଥା କରିଛନ୍ତି ।

୨୩ ତାରିଖରୁ ଆଇଏମ୍‌ଡି ବାରମ୍ବାର ରେଡ୍‌ ଓ୍ବାର୍ଣ୍ଣିଂ ଦେଇଆସିଥିଲା କି, ୨୭- ୨୮ ଓ ୨୯ ତାରିଖରେ ଅତି ପ୍ରବଳ ବର୍ଷା ହେବ । ଘୂର୍ଣ୍ଣିବାତ୍ୟା ହିଟ୍‌ କରିବାର ଡାହାଣ ପାର୍ଶ୍ବରେ ପ୍ରବଳ ବର୍ଷା ହୁଏ । ଫାଇଲିନ୍ ବେଳେ ଗଂଜାମ ଜିଲ୍ଲାରେ ହିଟ୍ କଲା; ଅଥଚ ପ୍ରବଳ ବର୍ଷା ଡାହାଣ ପାର୍ଶ୍ବରେ ଅର୍ଥାତ ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ବାଙ୍କୀରେ ହେଲା । ତେଣୁ ଆନ୍ଧ୍ରରେ ହୋଇଥିବା ଲ୍ୟାଣ୍ଡଫଲ୍ ଯୋଗୁଁ ଏହାର ଡାହାଣ ପାର୍ଶ୍ବରେ ୨୮ ତାରିଖରେ ସୋରଡ଼ାରେ ୫୦୦ରୁ ଅଧିକ ମିମି ବର୍ଷା ହେଲା। ଅନ୍ୟ ଜାଗାରେ ୩୦୦-୪୦୦ ମିମି ବର୍ଷା ହୋଇଥିଲା । ବହୁତ ଆଗରୁ ଆଇଏମଡି ଦ୍ବାରା ପୂର୍ବାନୁମାନ କରାଯାଇଥିଲା । ଜଳସମ୍ପଦ ବିଭାଗର ନିଜସ୍ବ ଓ୍ବେବ୍‌ସାଇଟର ତଥ୍ୟ କହୁଛି:- ୨୩, ୨୪, ୨୫, ୨୬ ଓ ୨୭ ତାରିଖରେ କୌଣସି ଡ୍ୟାମ୍‌ର ଗେଟ୍ ଖୋଲାଯାଇ ନ ଥିଲା, ଯଦିଓ ସବୁ ଡ୍ୟାମ୍‌ରେ ପାଣି ୬୫-୮୦ ପ୍ରତିଶତ ଭର୍ତ୍ତି ହୋଇ ରହିଥିଲା । ୨୦୧୩ର ଫାଇଲିନ୍ ପରି ୫୦ ଭାଗକୁ ଜଳସ୍ତର ଖସାଇଆଣିବା ଉଚିତ ଥିଲା । ଏପରିକି ଯୋଉ ଡ୍ୟାମ୍‌ର ସ୍ଲୁଇସ ଗେଟ୍ ନାହିଁ ତଥା ଏମଆଇପିର କେନାଲଗୁଡ଼ିକୁ ମଧ୍ୟ ଖୋଲି ଦିଆଯାଇଥିଲା ।

୨୭ ତାରିଖ ବେଳକୁ ଋଷିକୂଲ୍ୟା ପ୍ରାୟ ଶୁଖିଲା ଥିଲା । ମାତ୍ର ୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ୨୮ର ଅତି ପ୍ରବଳ ବର୍ଷାରେ ୨୯ ତାରିଖ ଦିନ ୧ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଲା । ପୁରୁଷାତ୍ତମପୁରରେ ଜଳସ୍ତର ବିପଦ ସଂକେତର ୩ ମିଟର ଉପରକୁ ଅର୍ଥାତ ୧୯ ମିଟର ପାରିହୋଇଗଲା । ୩୦ ତାରିଖରେ ୧ ଲକ୍ଷ ୪୨ ହଜାର କ୍ୟୁସେକ ପ୍ରବାହିତ ହେଲା । ପ୍ରଥମ ୪-୫ ଦିନ ନଦୀ ପୂରା ଶୁଖିଲା ଥିଲା । ବହୁତ ଡେରିରେ ଘୋଡ଼ାହାଡ଼ ଓ ଭଂଜନଗର ଡ୍ୟାମର ଗେଟ୍‌ ଖୋଲାଗଲା । ୨୯ ତାରିଖରେ ୫ଟି ଯାକ ଡ୍ୟାମ୍‌ର ଗେଟ୍ ଏକାସାଙ୍ଗରେ ଖୋଲିଦିଆଗଲା (ସୋରଡ଼ା ଡ୍ୟାମ୍‌ର ଗେଟ୍ ନାହିଁ) । କେବଳ ଏକାସାଙ୍ଗରେ ଗେଟ୍ ଖୋଲାଯିବା ଯୋଗୁଁ ୩୦-୪୦ ହଜାର କ୍ୟୁସେକ ଅଧିକ ପାଣି ଆସିଲା । ଗୋଟିଏ ଦିନରେ ୭ ହଜାରରୁ ୧ ଲକ୍ଷ ୪୨ ହଜାର କ୍ୟୁସେକ ଜଳ! ଏହା ମନୁଷ୍ୟକୃତ ନୁହେଁ ତ ଆଉ କ’ଣ ବୋଲି ଶ୍ରୀ ମହାପାତ୍ରଙ୍କ ଉପସ୍ଥାପିତ ତଥ୍ୟ ଆଧାରରେ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

ଭଂଜନଗର ଓ ଆସ୍କା ବନ୍ୟାର କାରଣ ମଧ୍ୟ ଅତି ସ୍ପଷ୍ଟ । ଭଂଜନଗର ଡ୍ୟାମ୍‌ରେ ପ୍ରଥମେ ୩ ଓ ପରେ ୪ଟି ଯାକ ଗେଟ୍ ଖୋଲିଦିଆଯାଇଥିଲା । ଏହା ଏକ ଛୋଟ ନଦୀ । ଅନ୍ୟ ବେସିନରୁ ପାଣି ଅଣାହୁଏ। ଡହ ଡ୍ୟାମ୍‌ର ମଧ୍ୟ ସବୁ ଗେଟ୍ ଖୋଲିଦିଆଗଲା । ତେଣୁ ୭ଟି ଗେଟ୍ ଯୋଗୁଁ ଭଂଜନଗର ବୁଡ଼ିଲା। ଆସ୍କା ସହର ଦୁଇଟି ନଦୀ ମଝିରେ ଅଛି । ବଡ଼ନଦୀ ଓ ଋଷିକୂଲ୍ୟା । ନଦୀବନ୍ଧ ବା ମୁହାଣ ଭାଙ୍ଗିଲା, ତଳେ ଥିବା ଆସ୍କା ସହରକୁ ଡୁବେଇଦେଲା । ବହୁତ ଉଚ୍ଚତାରୁ ଓ ଫୋର୍ସରେ ପାଣି ଆସିଗଲା । ଭୟଭୀତ ହୋଇ ଯନ୍ତ୍ରୀମାନେ ଏକାସାଙ୍ଗେ ସବୁ ଗେଟ୍‌ ଖୋଲିଦେଇଥିବା ସ୍ପଷ୍ଟ। ୩୦ ତାରିଖରେ ସବୁ ଗେଟ୍ ବନ୍ଦ କରାଗଲା ।

ଶ୍ରୀ ଦାସ ଅଭିଯୋଗ କରିଛନ୍ତି, ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତେବଡ଼ ବିପର୍ଯ୍ୟୟକୁ ଡାକିଆଣିଥିବା ଜଣେ ବି ଯନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ତଳ ସ୍ତରର ଯେଉଁ ଇଂଜିନିୟରମାନେ ଭାବନ୍ତି ଡ୍ୟାମ କେବଳ ପିଇବା ପାଣି ଓ ଜଳସେଚନ ପାଇଁ ଅଛି, ତଥା ଯେଉଁ କନିଷ୍ଠ ଯନ୍ତ୍ରୀମାନେ ବନ୍ୟା ପରିଚାଳନା କଥା ଭାବନ୍ତି ନାହିଁ, ସେମାନଙ୍କ ହାତରେ ଦାୟିତ୍ବ ଟେକିଦେଇ ସରକାର ନିଘୋଡ଼ ନିଦରେ କିପରି ଶୋଇଗଲେ ?

ପିସିସି ପକ୍ଷରୁ ଶ୍ରୀ ଦାସ ଦାବି କରିଛନ୍ତି- ପିସିସି ସଭାପତିଙ୍କ ଦାବି ଅନୁସାରେ ଅଢ଼େଇ ହଜାର କୋଟି ନୁହେଁ, ୫ ହଜାର କୋଟିର କେନ୍ଦ୍ରୀୟ ସହାୟତା ପାଇଁ ରାଜ୍ୟ ଦାବି କରୁ । ଚାଷଜମିମାନଙ୍କରେ ବାଲିଚର ହୋଇଛି । ଅନେକ ପୁରୁଣା ଆନିକଟ, ନଦୀବନ୍ଧ ଓ କେନାଲ ଭାଙ୍ଗିଯାଇଛି । ଆଗକୁ ରବି ଋତୁ । ଏହା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକର ମରାମତି ଦରକାର । ଅନ୍ୟପକ୍ଷରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ଯଥାଶିଘ୍ର କାର୍ଯ୍ୟକାରୀ କରାଯାଉ । ପୁରୁଣାକାଳିଆ ରିଲିଫ କୋଡ ଅନୁସରଣ କରି ଏପରି ଏକ ମାନବୀୟ ବିପର୍ଯ୍ୟୟକୁ ଭରଣା କରିବା ଅନ୍ୟାୟ । ତେଣୁ ସରକାର ତୁରନ୍ତ ଏମଏସପି ଅନୁସାରେ ଅମଳ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ବିଚାରକୁ ନେଇ ସେହି ଅନୁସାରେ ହିସାବ କରି ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ । ସର୍ବୋପରି ଏହି ମନୁଷ୍ୟକୃତ ବନ୍ୟା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଓ୍ବାର୍‌ ରୁମ୍ ଅଧ୍ୟକ୍ଷ ମନୋରଂଜନ ଦାସ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *