ଚଳିତ ପାର୍ବଣ ଋତୁରେ ଡିଜିଟାଲ୍ କାରବାର କରୁଥିବା ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୟୁପିଆଇ ମାଧ୍ୟମରେ ହେଉଥିବା ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍’ ବା ମର୍ଚାଣ୍ଟ ଫି’ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆଜି ଅନୁଷ୍ଠିତ ‘ୟୁପିଆଇ ଏବଂ ସର୍ଭିସ୍ ଷ୍ଟିଅରିଂ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ଏହି ନୂଆ ନିୟମକୁ ଅକ୍ଟୋବର ୧୫ ତାରିଖରୁ ଲାଗୁ କରିବା ପାଇଁ ଯୋଜନା ରହିଥିଲା। ମାତ୍ର ଦଶହରା, ଦୀପାବଳି ଭଳି ବଡ଼ ପାର୍ବଣ ସମୟରେ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ଯେପରି କୌଣସି ଅତିରିକ୍ତ ଆର୍ଥିକ ଚାପ ନପଡ଼େ, ସେଥିପାଇଁ ନ୍ୟାସନାଲ ପେମେଣ୍ଟସ କୋର୍ପୋରେସନ ଅଫ ଇଣ୍ଡିଆ ଏହି କୋହଳ ନୀତି ଆପଣାଇଛି। ଏହି ନିଷ୍ପତ୍ତି ଫଳରେ ମର୍ଚାଣ୍ଟ ଟ୍ରାନ୍ସଜାକ୍ସନ୍ ଉପରେ MDR ଫି’ ଦୀପାବଳି ପରେ ହିଁ କାର୍ଯ୍ୟକାରୀ ହେବ। ତେବେ ଦୀପାବଳି ଶେଷ ହେବା ପରେ ଏହା କେଉଁ ନିର୍ଦ୍ଦିଷ୍ଟ ତାରିଖରୁ ଲାଗୁ କରାଯିବ, ସେ ନେଇ ପରବର୍ତ୍ତୀ ସମୟରେ ପୃଥକ୍ ଭାବେ ଚୂଡ଼ାନ୍ତ ତାରିଖ ଘୋଷଣା କରାଯିବ ବୋଲି NPCI ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାର୍ବଣ ସମୟରେ କ୍ୟାସଲେସ୍ କାରବାରକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏହି କଦମ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। Post navigation Southwest Monsoon in Odisha: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ Kataka Bali Yatra: ଐତିହାସିକ କଟକ ବାଲିଯାତ୍ରାରେ ବ୍ୟାନ ହେଲା ପ୍ଲାଷ୍ଟିକ୍; ଶାଳପତ୍ର ଖଲି ବ୍ୟବହାର ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ