bjds-jan-sampark-padayatra-in-bhubaneswar-naveen-targets-double-engine-govt

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦଳର ସେବା ଓ ବିକାଶର ଆଦର୍ଶ ସମ୍ପର୍କରେ ମତ ରଖିଥିଲେ ।

ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ । ବିଜେଡି ସରକାରଙ୍କ ସମୟରେ ଓଡ଼ିଶା ଦ୍ରୁତ ବିକାଶ ହାସଲ କରି ଦେଶର ଏକ ମଡେଲ ରାଜ୍ୟ ଭାବେ ପରିଚିତ ହୋଇଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ ଅଢ଼େଇ ବର୍ଷର ଶାସନରେ ଓଡ଼ିଶାର ଛବି ମଳିନ ହୋଇଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ ।

ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଓ ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଘରେ ଘରେ ପହଞ୍ଚି ଜନସଚେତନତା ସୃଷ୍ଟି କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ। ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ଜନସାଧାରଣଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ। ଏଥିରେ ସ୍ଥାନୀୟ କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

bjds-jan-sampark-padayatra-in-bhubaneswar-naveen-targets-double-engine-govt

By Nirvay

Leave a Reply

Your email address will not be published. Required fields are marked *