ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନା ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରର ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂ।

ସୂଚନା ଅନୁଯାୟୀ, ଆବେଦନକାରୀ ନିଜ ମା’ ଏବଂ ସାନଭାଇଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଗତ ସେପ୍ଟେମ୍ବର ୯ ତାରିଖରେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ଅନଲାଇନ୍ ଆବେଦନ କରିଥିଲେ। ଏଥିପାଇଁ ସେ RIଙ୍କୁ ୩ ରୁ ୪ ଥର ସାକ୍ଷାତ କରିଥିଲେ ସୁଦ୍ଧା ତାଙ୍କ ଫାଇଲ୍ ଆଗକୁ ବଢ଼ିନଥିଲା। ଅନୁସନ୍ଧାନ ରିପୋର୍ଟ ବିଳମ୍ବ କରିବା ସହ ଫାଇଲ୍‌ଟିକୁ ବରିଷ୍ଠ ଅଧିକାରୀଙ୍କ ପାଖକୁ ପଠାଇବା ପାଇଁ RI ନିରଞ୍ଜନ ସିଂ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ, ଭିଜିଲାନ୍ସ ଟିମ୍ ଜାଲ ବିଛାଇ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ RIଙ୍କୁ ଟଙ୍କା ନେଉଥିବା ବେଳେ କାବୁ କରିଥିଲା। ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଅଧିକାରୀମାନେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଗିରଫ ପରେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଂଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।

Leave a Reply

Your email address will not be published. Required fields are marked *