ସହରାଞ୍ଚଳ ଆବାସ କ୍ଷେତ୍ରରେ ଓଡ଼ିଶା ପୁଣି ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) 2.0 ଅଧୀନରେ ଦେଶର ସର୍ବାଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ ଓଡ଼ିଶାକୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ପେଶାଲ ରିକୋଗ୍ନିସନ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।

ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ପୁରସ୍କାର ୨୦୨୬ ଅବସରରେ ରାଜ୍ୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସହରୀ ଗୃହ ନିର୍ମାଣ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ହିତାଧିକାରୀ-କେନ୍ଦ୍ରିକ କରିବା ପାଇଁ ଓଡ଼ିଶା ଗ୍ରହଣ କରିଥିବା ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଏହି ସ୍ୱୀକୃତି ମିଳିଛି।

ଏହି ଯୋଜନାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ କାର୍ଯ୍ୟକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିଛନ୍ତି। ଏହାସହ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଗୃହ ଆବଣ୍ଟନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରାଯାଇଛି, ଯାହାଦ୍ୱାରା ଯୋଗ୍ୟ ନାଗରିକମାନେ କୌଣସି ଅସୁବିଧା ବିନା ଯୋଜନାର ସିଧାସଳଖ ଲାଭ ପାଇପାରୁଛନ୍ତି।

ଏହି ଗୌରବପୂର୍ଣ୍ଣ ସଫଳତା ପାଇଁ ଖୁସି ପ୍ରକାଶ କରି ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ସମ୍ମାନ ସରକାରୀ ଅଧିକାରୀ, ସହରାଞ୍ଚଳ ସ୍ଥାନୀୟ ନିକାୟ ଏବଂ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର ନିରନ୍ତର ପରିଶ୍ରମର ଫଳ। କେବଳ ଘର ନିର୍ମାଣ କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ପ୍ରତ୍ୟେକ ଯୋଗ୍ୟ ସହରୀ ପରିବାରକୁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସ୍ଥାୟୀ ବାସଗୃହ ଯୋଗାଇଦେବା ଆମର ମୂଳ ଉଦ୍ଦେଶ୍ୟ। ‘ସମସ୍ତଙ୍କ ପାଇଁ ଆବାସ’ ଜାତୀୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଆଗାମୀ ଦିନରେ ମଧ୍ୟ ଏହିପରି ସଂସ୍କାରମୂଳକ କାର୍ଯ୍ୟ ଜାରି ରଖିବେ।

Leave a Reply

Your email address will not be published. Required fields are marked *