Odisha CM Presents Biju Patnaik Sports and Bravery Awards for 2025

ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ରାଜ୍ୟ ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର କୃତୀ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ ସାହସୀ ବ୍ୟକ୍ତିବିଶେଷଙ୍କୁ ମର୍ଯ୍ୟାଦାଜନକ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ଏବଂ ସାହସିକତା ପୁରସ୍କାର’ ପ୍ରଦାନ କରିଛନ୍ତି ।

ହକି’ର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପବିତ୍ର ଜୟନ୍ତୀରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ ଜାତୀୟ କ୍ରୀଡ଼ା ଦିବସର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ମେଜର ଧ୍ୟାନଚାନ୍ଦଙ୍କ ଉକ୍ତି ‘ଦେଶ ମୋ ପାଇଁ କଣ କରିଛି, ତାହା ବଡ଼ କଥା ନୁହେଁ, ମୁଁ ଦେଶ ପାଇଁ କଣ କରିଛି, ତାହା ମହତ୍ୱପୂର୍ଣ୍ଣ’ର ମହାମନ୍ତ୍ରକୁ ରାଜ୍ୟର ପ୍ରତ୍ୟେକ ଯୁବକ ଯୁବତୀ ନିଜ ଦୈନନ୍ଦିନ ଜୀବନରେ ଆପଣେଇବା ପାଇଁ ଆହ୍ୱାନ କରିଥିଲେ ।

ଏଥିସହିତ ଚଳିତ ବର୍ଷର ଜାତୀୟ ଥିମ୍ ‘ଖେଳିବ ଭାରତ, ଜିତିବ ଭାରତ’ ଆଧାରରେ ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ସଂକଳ୍ପ ନେଇ ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଖେଳ ପଡ଼ିଆରୁ ବିଶ୍ୱ ଦରବାର ପର୍ଯ୍ୟନ୍ତ ଓଡ଼ିଶାର ଏହି କାୟାକଳ୍ପକୁ ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଆଜି ଭାରତର ଏକ ପ୍ରମୁଖ କ୍ରୀଡ଼ା ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟର ପିଲାମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଆମ ପିଲାମାନଙ୍କ ପାଇଁ ସର୍ବୋତ୍ତମ ତାଲିମ ସୁବିଧା ପ୍ରଦାନ ନିମନ୍ତେ ଆମେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଅଛୁ ବୋଲି ଦର୍ଶାଇ ସେ କହିଥିଲେ, ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ, ଭୁବନେଶ୍ୱରର ଗୋଠପାଟଣାଠାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଢେଙ୍କାନାଳରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍’ ସମେତ ଅନ୍ୟ ୫ଟି ଆଞ୍ଚଳିକ ହବ୍ ସ୍ଥାପନ କରାଯାଉଛି।

ସେ ଆହୁରି କହିଥିଲେ ଗ୍ରାମାଞ୍ଚଳ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସିଏମ୍ ଟ୍ରଫି’ ଏବଂ ଖେଳକୁ ପ୍ରତିଯୋଗିତା ଦୃଷ୍ଟିରେ ନୁହେଁ ବରଂ ଏକ ସାମାଜିକ ପରିବର୍ତ୍ତନର ମାଧ୍ୟମ ଭାବେ ଗ୍ରହଣ କରି ମାଓ ପ୍ରଭାବିତ ୧୦ଟି ଜିଲ୍ଲାର ୪୮୫ଟି ଗ୍ରାମରେ ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଉଛି। ଓଡ଼ିଶା ଭାରତବର୍ଷରେ ପ୍ରଥମ ଥର ପାଇଁ ଆଗାମୀ “୨୦୨୮ ଏସିଆନ୍ ଏବଂ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍” ଆୟୋଜନ କରିବାର ଐତିହାସିକ ଗୌରବ ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାର ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସହିତ ଯାଜପୁର ଜିଲ୍ଲାର ସ୍ୱର୍ଗତ ନୀଳମାଧବ ପଣ୍ଡା ଏବଂ ସୁନିଲ କୁମାର ରାୟଙ୍କୁ ମରଣୋତ୍ତର ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପ୍ରୋତ୍ସାହନ ନିମନ୍ତେ ‘ଜୀବନବ୍ୟାପୀ ସାଧନା’ ପାଇଁ ଶ୍ରୀମତୀ ପ୍ରଣତି ମିଶ୍ର, କ୍ରୀଡ଼ା ସାମ୍ୱାଦିକତାରେ ଉତ୍କର୍ଷତା ପାଇଁ ଶକ୍ତି ପ୍ରସାଦ ନନ୍ଦ, ‘କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ’ ପାଇଁ ସୁଶ୍ରୀ ଲୋମା ସ୍ୱାଇଁ, ‘ଶ୍ରେଷ୍ଠ ପ୍ରଶିକ୍ଷକ’ ଭାବେ ଶ୍ରୀ ଗୋପାଳ କୃଷ୍ଣ ଦାଶ, ‘ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍’ ଭାବେ ସୁଶ୍ରୀ ସୁଚିତ୍ରା ପରିଡ଼ା, ‘ଶ୍ରେଷ୍ଠ ଉଦୀୟମାନ କ୍ରୀଡ଼ାବିତ୍’ ଭାବେ ଶ୍ରୀ ପ୍ରତୀକ ମହାରଣା ଓ ସୁଶ୍ରୀ ପାୟଲ ନାଗ ଏବଂ ‘ଶ୍ରେଷ୍ଠ ବୈଷୟିକ ଅଧିକାରୀ’ ଭାବେ ଶ୍ରୀ ପ୍ରବୋଧ କୁମାର ମହାନ୍ତି ଏବଂ ‘ସର୍ବୋତ୍ତମ କ୍ରୀଡ଼ା ପ୍ରୋତ୍ସାହନ ସଂସ୍ଥା’ ଭାବେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବକୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ । ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ ପକ୍ଷରୁ କ୍ଲବର ଅଧ୍ୟକ୍ଷ ସମ୍ୱଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ ।

ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ହକି’ର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, କେବଳ ଦକ୍ଷତା ନୁହେଁ, ବରଂ ନିଷ୍ଠା ଓ ଶୃଙ୍ଖଳା ହିଁ ଜଣେ ସାଧାରଣ ଖେଳାଳିକୁ ମହାନ ଖେଳାଳିରେ ପରିଣତ କରେ, ଏହାର ପ୍ରମାଣ ହେଉଛନ୍ତି, ମେଜର ଧ୍ୟାନଚାନ୍ଦ । ତେଣୁ ଏହି ମହାନ୍‌ କ୍ରୀଡ଼ାବିତ୍‌ଙ୍କ ଖେଳ ପ୍ରତି ନିଷ୍ଠା ଓ ସମର୍ପଣକୁ ପ୍ରତ୍ୟେକ ଖେଳାଳୀ ନିଜ ଜୀବନର ମାର୍ଗଦର୍ଶକ ଭାବେ ଗ୍ରହଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସେ ପିଲାମାନଙ୍କୁ କ୍ରୀଡ଼ାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ସହିତ ସ୍କ୍ରିନିଙ୍ଗ ଟାଇମିଙ୍ଗକୁ କମ୍ କରି ସ୍ପୋର୍ଟିଙ୍ଗ ଟାଇମ୍ ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବଲାଙ୍ଗୀର ଜିଲ୍ଲାର ପାରା ତୀରନ୍ଦାଜ୍ କ୍ରୀଡ଼ାବିତ ସୁଶ୍ରୀ ପାୟଲ ନାଗ୍‌ଙ୍କୁ ପ୍ରଶଂସା କରି କହିଥିଲେ ଯେ, ହାତ ନ ଥାଇ ମଧ୍ୟ ସେ ଆଜି କ୍ରୀଡ଼ା କ୍ଷେତ୍ରରେ ଗୋଲ୍ଡ ମେଡାଲ ପାଇ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଫିଜିକାଲ ଫିଟନେସ୍‌ର ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଏଥିପାଇଁ ରାଜ୍ୟ ସରକାର ଫିଟ ଓଡ଼ିଶା ମିଶନର ପରିକଳ୍ପନା କରିଛନ୍ତି ଏବଂ ଗ୍ରାମପଞ୍ଚାୟତ ଠାରୁ ମ୍ୟୁନିସପାଲିଟି ପର୍ଯ୍ୟନ୍ତ ସବୁଠି ଏହାକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *