ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନାଗରିକମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ତମ ଅଭିଯୋଗ ଶୁଣାଣି କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ତୁରନ୍ତ ସମାଧାନ ମଧ୍ୟ କରିଛନ୍ତି। ଆଜି ୬୦୦ଟି ଅଭିଯୋଗ ଶୁଣାଣି ହୋଇଛି । ସେଥିମଧ୍ୟରୁ ୧୬ ଜଣ ଭିନ୍ନକ୍ଷମ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଉଛି । ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ସାର୍ଟିଫାଏ କରିଥିଲେ । ଏହା ପରେ ମୋଟ ୧୪ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏହା ପୂର୍ବରୁ ୧୯ଟି ଅଭିଯୋଗରେ ପ୍ରତ୍ୟକ୍ଷଭାବେ ୧୫, ୩୨୭ ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୧୪, ୫୧୯ଟି ଅର୍ଥାତ୍ ୯୫ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ପ୍ରତିଟି ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯାଇ ତ୍ୱରିତ ସମାଧାନ କରାଯିବାକୁ ଚେଷ୍ଟା କରାଯାଉଛି । ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଜିଲ୍ଲାସ୍ତରରେ ମଧ୍ୟରେ ଅଭିଯୋଗ ଶୁଣାଣି କରାଯାଉଛି । ୧ ଜୁଲାଇ ୨୦୨୪ରୁ ଆଜି ଯାଏ ମୋଟ ୨ ଲକ୍ଷ ୬୯ ହଜାର ୩୯୪ ଅଭିଯୋଗ ଆସିଥିବାବେଳେ ସେଥି ମଧ୍ୟରୁ ୨ ଲକ୍ଷ ୩୩ ହଜାର ୩୪୪ଟିର ସମାଧାନ ହୋଇଛି । ମୋଟ ଅଭିଯୋଗର ୮୭ ପ୍ରତିଶତ ଅଟେ । ଲୋକଙ୍କ ସରକାର ସବୁବେଳେ ଲୋକଙ୍କ ସମାଧାନ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *