ରାଜ୍ୟରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ (MMSY-CUVDA)ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଫଳରେ ଏହି ଯୋଜନା ୨୦୨୫-୨୬ ରୁ ୨୦୨୯-୩୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୨୫-୨୬ ରୁ ୨୦୨୯-୩୦ ମଧ୍ୟରେ ପ୍ରାୟ ୧୧୫୦ କିଲୋମିଟର ଦୈର୍ଘ୍ୟର ନୂତନ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ମୋଟ ୧୯୦୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ଜିଲ୍ଲା, ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ଏବଂ ଦ୍ୱୀପାଞ୍ଚଳଗୁଡ଼ିକୁ ସବୁଦିନିଆ ସଡ଼କ ଦ୍ୱାରା ଯୋଡ଼ାଯିବ। ଫଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପଞ୍ଚାୟତ, ଚିକିତ୍ସାଳୟ ଓ ବଜାରକୁ ଗମନାଗମନ ସହଜ ହୋଇପାରିବ।

ପ୍ରତ୍ୟେକ ପ୍ରକଳ୍ପ ଚୁକ୍ତିରେ ୫ ବର୍ଷ ପାଇଁ ବାର୍ଷିକ ସାଧାରଣ ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିବ। ଠିକାଦାର ସଡ଼କକୁ ତ୍ରୁଟିମୁକ୍ତ ଅବସ୍ଥାରେ ରଖିବେ। କାର୍ଯ୍ୟ ସମାପ୍ତି ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ କୌଣସି ତ୍ରୁଟି ଦେଖାଦେଲେ, ଠିକାଦାର ନିଜ ଖର୍ଚ୍ଚରେ ତାହାର ମରାମତି ବା ପୁନଃନିର୍ମାଣ କରିବେ। ସରକାରୀ ବା ସରକାରୀ ଅନୁମୋଦିତ ପରୀକ୍ଷାଗାରରେ ନିର୍ମାଣ ସାମଗ୍ରୀର ଗୁଣବତ୍ତା ପରୀକ୍ଷା କରାଯିବ। PMGSY ଢାଞ୍ଚାରେ ସ୍ୱାଧୀନ ‘ରାଜ୍ୟ ଗୁଣବତ୍ତା ମନିଟର’ (SQM) ଏବଂ ଯୋଜନା ଶେଷରେ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ତୃତୀୟ ପକ୍ଷ ଗୁଣବତ୍ତା ମୂଲ୍ୟାଙ୍କନ କରାଯିବ।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିବା ସହ ରାଜ୍ୟରେ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ।

Leave a Reply

Your email address will not be published. Required fields are marked *