ଏବେ ବର୍ଷକୁ ୪ଟି ପରୀକ୍ଷା ଦେବେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୪ଟି ପରୀକ୍ଷା ଦେବାକୁ ପଡ଼ିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପ୍ରଣାଳୀକୁ ଅଧିକ ବୈଜ୍ଞାନିକ ଓ ନିରନ୍ତର କରିବା ପାଇଁ ନୂଆ ଆସେସ୍ମେଣ୍ଟ ଫ୍ରେମ୍ୱର୍କ ଲାଗୁ କରିଛି। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ଆସେସ୍ମେଣ୍ଟ ଓ ସମେଟିଭ୍ ଆସେସ୍ମେଣ୍ଟ ମାଧ୍ୟମରେ ମୂଲ୍ୟାୟନ କରାଯିବ। ଯେଉଁଥିରେ ସେମାନଙ୍କର ୧୨୦୦ ମାର୍କର ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୋଟିଏ ଲେଖାଏଁ ଏଫ୍ଏ ଓ ଏସ୍ଏ ଅନୁଷ୍ଠିତ ହେବ। ନୂଆ ନିୟମ ଅନୁସାରେ ତୃତୀୟରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବର୍ଷକୁ ମୋଟ ୪ଟି ପରୀକ୍ଷା ଦେବେ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୋଟିଏ ଫର୍ମେଟିଭ୍ ଆସେସ୍ମେଣ୍ଟ (FA-1) ଓ ଗୋଟିଏ ସମେଟିଭ୍ ଆସେସ୍ମେଣ୍ଟ (SA-1) ହେବ। ସେହିପରି ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ FA-2 ଓ SA-2 ଅନୁଷ୍ଠିତ ହେବ। ଏହି ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଅଗ୍ରଗତିକୁ ବର୍ଷସାରା ନିୟମିତ ଭାବେ ମୂଲ୍ୟାୟନ କରାଯିବ। ପ୍ରତ୍ୟେକ ବିଷୟରେ ଫର୍ମେଟିଭ୍ ପରୀକ୍ଷା ୨୫ ନମ୍ବର ଲେଖାଏଁ ହେବ। ସମେଟିଭ୍ ପରୀକ୍ଷା ୫୦ ନମ୍ବରର ରହିବ। ଏହାବ୍ୟତୀତ ଶିକ୍ଷକଙ୍କ ନିରନ୍ତର ପର୍ଯ୍ୟବେକ୍ଷଣ ଓ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସକ୍ରିୟତାକୁ ଆଧାର କରି ପ୍ରତ୍ୟେକ ବିଷୟରେ ଆଉ ୨୫ ନମ୍ବର ଦିଆଯିବ। ଏହିପରି ଭାବେ ସମ୍ପୂର୍ଣ୍ଣ ଶିକ୍ଷାବର୍ଷରେ ମୋଟ ୧୨୦୦ ନମ୍ବରର ମୂଲ୍ୟାୟନ କରାଯିବ। ଅନ୍ୟପଟେ ଶିଶୁବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୌଣସି ଲିଖିତ ପରୀକ୍ଷା ରହିବ ନାହିଁ। ସେମାନଙ୍କ ଶିକ୍ଷାଗତ ଅଗ୍ରଗତି କେବଳ ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ, ଶ୍ରେଣୀକକ୍ଷ କାର୍ଯ୍ୟକଳାପରେ ଅଂଶଗ୍ରହଣ ଏବଂ ଶିଖିବାର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ‘ଲର୍ଣ୍ଣିଂ ଲ୍ୟାଡର ରେଜିଷ୍ଟର’ ବ୍ୟବହାର କରାଯିବ, ଯେଉଁଥିରେ ପ୍ରତି ମାସର ଶିକ୍ଷାଗତ ଅଗ୍ରଗତି ଲିପିବଦ୍ଧ ହେବ। ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଗଣିତ ଓ ଭାଷା ବିଷୟରେ ସେମାନଙ୍କ ମାସିକ ଅଗ୍ରଗତିକୁ ନଜରରେ ରଖି ଆବଶ୍ୟକ ହେଲେ ରିମେଡିଆଲ୍ ପାଠଦାନ ଓ ଶିକ୍ଷାଦାନର ଗତି ନିର୍ଦ୍ଧାରଣ କରାଯିବ। Post navigation Odisha Flood Alert: ବୈତରଣୀ ବନ୍ୟା ଆଶଙ୍କା: ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ