ଦିବ୍ୟାଙ୍ଗମାନଙ୍କ ପୁନର୍ବାସ ପାଇଁ ଓଡ଼ିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବେ ଦୀର୍ଘଦିନ ଧରି ବନ୍ଦ ପଡ଼ିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆଡଭାନ୍ସଡ୍ ରିହାବିଲିଟେସନ ସେଣ୍ଟର (ଏଆରସି) ଏକ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ନଥିବା ଅଭିଯୋଗ ଏବେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିକଟରେ ପହଞ୍ଚିଛି।

ଏହି ଅଭିଯୋଗ ଉପରେ ବିଚାର କରି ଏନଏଚଆରସି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବଙ୍କଠାରୁ ଦୁଇ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି। ହାଇକୋର୍ଟ ଆଇନଜୀବୀ ଅଖଣ୍ଡଙ୍କ ପିଟିସନ ଆଧାରରେ କମିଶନ ଏହି ପଦକ୍ଷେପ ନେଇଛନ୍ତି ।

ଓଡ଼ିଶା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ୨୦୧୯ ମସିହା ମାର୍ଚ୍ଚରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ରୋବୋଟିକ୍ ପୁନର୍ବାସ ଯନ୍ତ୍ର, କୃତ୍ରିମ ଅଙ୍ଗ ସେବା ଓ ବିଭିନ୍ନ ସହାୟକ ପ୍ରଯୁକ୍ତି ରହିଥିଲା। ଷ୍ଟ୍ରୋକ୍‌, ସ୍ନାୟୁଜନିତ ରୋଗ, ମସ୍ତିଷ୍କ ଆଘାତ, ପୋଲିଓ ଏବଂ ଅଙ୍ଗହାନି ଭଳି ସମସ୍ୟାରେ ପୀଡ଼ିତ ଲୋକଙ୍କୁ ଏଠାରେ ପୁନର୍ବାସ ସେବା ପ୍ରଦାନ କରିବା ଥିଲା ଏହାର ମୁଖ୍ୟ ଲକ୍ଷ୍ୟ। ଗରିବ ଲୋକଙ୍କୁ ମାଗଣା କୃତ୍ରିମ ଅଙ୍ଗ ଓ ଥେରାପି ମଧ୍ୟ ଦିଆଯାଉଥିଲା।

କିନ୍ତୁ ଅଭିଯୋଗ ଅନୁଯାୟୀ, କେନ୍ଦ୍ରଟି ଏକ ବର୍ଷରୁ ଅଧିକ ସମୟ ହେଲା କାମ କରୁନାହିଁ। କେନ୍ଦ୍ରରେ ତାଲା ପଡ଼ିଛି ଏବଂ ଦାମୀ ଯନ୍ତ୍ରପାତି ବ୍ୟବହାର ନହୋଇ ପଡ଼ିରହିଛି।

ଫଳରେ ୨୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚରେ ତିଆରି ହୋଇଥିବା ଭିତ୍ତିଭୂମି ଓ ଦାମୀ ଯନ୍ତ୍ରପାତି ବ୍ୟବହାର ନ ହୋଇ ଖତ ଖାଉଛି । ଏହି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ବିଶେଷକରି ଗରିବ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଦିବ୍ୟାଙ୍ଗ ଲୋକମାନେ ଆବଶ୍ୟକ ପୁନର୍ବାସ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗରେ କୁହାଯାଇଛି।

ଆବେଦନକାରୀ ଅଖଣ୍ଡ କମିଶନଙ୍କ ନିକଟରେ କେନ୍ଦ୍ର ବନ୍ଦ ହେବାର କାରଣ ସମ୍ପର୍କରେ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିବାକୁ ନିବେଦନ କରିଥିଲେ। ଏହା ସହିତ କେନ୍ଦ୍ରକୁ ତୁରନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତ କରିବା ଓ ଯନ୍ତ୍ରପାତିକୁ ବ୍ୟବହାରରେ ଆଣିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା।

ଅଭିଯୋଗରେ ଥିବା ତଥ୍ୟ ଯଦି ସତ୍ୟ ହୁଏ, ତେବେ ଏହା ପୀଡ଼ିତଙ୍କ ମାନବାଧିକାରର ଗୁରୁତର ଉଲ୍ଲଂଘନ ବୋଲି କମିଶନ ମତ ରଖିଛନ୍ତି। ଏହାପରେ ଆୟୋଗ ସମ୍ପୃକ୍ତ ବିଭାଗକୁ ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *