୨୦୨୧ରେ ନହୋଇପାରିଲେ ଟୋକିଓ ଅଲିମ୍ପିକ୍‌ ବାତିଲ ହେବ: ବାକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲୁସାନେ

କରୋନା ମହାମାରୀ ଯଦି ଆସନ୍ତାବର୍ଷ ଯାଏଁ ଜାରୀ ରହେ ଓ ଏଥିପାଇଁ ଟୋକିଓ ଅଲିମ୍ପିକ୍‌ ୨୦୨୧ ମସିହାରେ ବି ନହୋଇପାରେ ତା ହେଲେ ଏହା ସମ୍ପୂର୍ଣ୍ଣ ବାତିଲ ହୋଇଯିବ । ଏ ବଡ଼ ଘୋଷଣା କରିଛନ୍ତି ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ମୁଖ୍ୟ ଥୋମାସ୍‌ ବାକ୍‌ । ଏବର୍ଷ ଜୁଲାଇରେ ଟୋକିଓ ଅଲିମ୍ପିକ୍‌ ଆରମ୍ଭ ହେବାର ଥିଲା । ହେଲେ ମାର୍ଚ୍ଚ ମାସରେ ଏକ ଅଦ୍ଭୁତପୂର୍ବ ନିଷ୍ପତ୍ତି ନେଇ ଆଇଓସି ଏବଂ ଜାପାନ ସରକାର କ୍ରୀଡ଼ା ମହାକୁମ୍ଭକୁ ୨୦୨୧ ଜୁଲାଇ ଯାଏଁ ସ୍ଥଗିତ ରଖିବାକୁ ଫଇସଲା କରିଥିଲେ । ତେବେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିକଟରେ କହିସାରିଛନ୍ତି କରୋନା ଟିକା ନବାହାରିବା ଅବସ୍ଥାରେ ଟୋକିଓ ଅଲିମ୍ପିକ୍‌ ୨୦୨୧ରେ ହୋଇପାରିବ ନାହିଁ । ବାକ୍‌ କହିଛନ୍ତି ସେ ଆବେଙ୍କ ସ୍ଥିତି ଭଲ ଭାବରେ ବୁଝୁଛନ୍ତି । ଜାପାନରେ ଏପର୍ଯ୍ୟନ୍ତ କରୋନା ଭୂତାଣୁରେ ୧୭, ୧୦୦ଜଣ ଆକ୍ରାନ୍ତ ହୋଇଥିଲାବେଳେ ୭୯୭ ଜଣଙ୍କ ପ୍ରାଣହାନୀ ହୋଇସାରିଲାଣି ।
ସତ କହିବାକୁ ଗଲେ ଗୋଟିଏ ଆୟୋଜନ କମିଟିରେ ୩ରୁ ୫ହଜାର ଲୋକଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି କରାଯାଇ ପାରିବ ନାହିଁ । ପ୍ରତିବର୍ଷ ସବୁ ବଡ଼ କ୍ରୀଡ଼ା ଫେଡ଼େରେସନର ବିଶ୍ୱବ୍ୟାପି କ୍ୟାଲେନ୍ଦରକୁ ବଦଳାଇପାରିବେ ନାହିଁ । ଏଥି ସହ ହଜାର ହଜାର ଖେଳାଳିମାନଙ୍କୁ ଅନିଶ୍ଚିତତାରେ ସଦା ରଖାଯାଇ ପାରିବ ନାହିଁ ବୋଲି ବାକ୍‌ ଏକ ମିଡିଆ ସାକ୍ଷାତକାରରେ କହିଛନ୍ତି । ଆମେ ଆସନ୍ତାବର୍ଷ ଅଲିମ୍ପିକ୍‌ କରିବାକୁ ପ୍ରତିଶ୍ରୁତିବଦ୍ଧ । ହେଲେ ସେଥିପାଇଁ ଆମକୁ ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ହେବ । ଯେପରି ଖେଳାଳିମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା । ଯଦି ଏହା କରିବାକୁ ପଡ଼ିବ ତା’ ହେଲେ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମରେ ଅବସ୍ଥା କ’ଣ ହେବ? ଏହା ବି ହୃଦୟଙ୍ଗମ କରାଯିବା ଦରକାର । ଏହିପରି ଅନେକ ପରିସ୍ଥିତିକୁ ଆଶଙ୍କା କରି ଆମକୁ କାମ କରିବାର ଅଛି । ଯାହାକି ଏକ ବିରାଟ ଦାୟିତ୍ୱ । ଏତେ ପ୍ରକାର ସମ୍ଭାବନା ବନୁଥିବାରୁ ବର୍ତ୍ତମାନ ସେ ବିଷୟରେ ଉତ୍ତର ରଖିବା ସହଜ ନୁହେଁ ବୋଲି ଆଇଓସି ସଭାପତି କହିଛନ୍ତି । ୨୦୨୧ ଜୁଲାଇ ୨୩ ବେଳକୁ ବିଶ୍ୱ କିପରି ଅବସ୍ଥାରେ ଥିବ ସେ ବିଷୟରେ ଆମେ ଜାଣିପାରିଲେ ହିଁ କିଛି ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବୁ ବୋଲି ବାକ୍‌ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*