ମୁଖିଆ ବୁଡେଇ ଦେଲେ ‘ମୋ’ ବିହନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏହି ଲାଇନ୍‌ଟା ଆମେ ସିଧା ଉଠେଇ ଆଣିଚୁ ଜନାଖି ବାବୁଙ୍କ କମେଣ୍ଟରୁ । ମାନ୍ୟବର ମୁଖିଆ ‘ମୋ’ ବିହନର ଉଦ୍‌ଭାବକ । ଆଉ ସିଏ ବି ଏହାର ବିନାଶକ ।
ଭାରତୀୟ ସଂସ୍କୃତିରେ ଗୋଟିଏ କଥା କୁହାଯାଏ ମୁଁ ଅପେକ୍ଷା ଆମେ ଭଲ । କିନ୍ତୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ମୁଁ କଥା ଉଠାଇଚନ୍ତି । ମୁଁ କରୁଚି । ମୁଁ ହିଁ ଅତୀତ । ମୁଁ ବର୍ତ୍ତମାନ । ମୁଁ ହେବି ଭବିଷ୍ୟତ । ତୁମେ ସମସ୍ତେ ନିମିତ୍ତ ମାତ୍ର ।
ବୋଧହୁଏ ମାନ୍ୟବର ମୁଖିଆ କୃଷ୍ଣଙ୍କୁ ଫଲୋ କରୁଥିଲେ । କିନ୍ତୁ ଅଧାବାଟରେ ବାଟହୁଡିଲେ । ଦଳରେ କହିଲେ ମୁଁ ଏକା ସବୁକିଛି । ଆଉ ସବୁ ମନ୍ତ୍ରୀ ଓ ବିଧାୟକ ମୁତ୍‌ଫରକା । ସରକାରର ବି ସେ ହିଁ ଜଣେ । ସେ ଅତୀତ । ସେ ବର୍ତ୍ତମାନ । କିନ୍ତୁ ଭବିଷ୍ୟତ ଚାଲିଗଲାଣି ବଡ଼ବାବୁଙ୍କ ହାତକୁ ।
ଗତ ୨୦ ବର୍ଷ ହେଲା ଖାଲି ‘ମୋ’ ବିହନ ବୁଣି ଚାଲୁଥିଲେ ମୁଖିଆ । ହକି ବିଶ୍ୱକପ୍‌ ଆଗରୁ ବିଚାରା ଓଡ଼ିଆଙ୍କୁ କହିଲେ ଏଇ ଦେଖ ‘ମୋ’ ଛାତି ହକି ପାଇଁ କେମିତି କରୁଚି ଧଡ଼ଧଡ଼ । ମେଣ୍ଢାପଲକ ଯାକ ତହିଁ ଆରଦିନ ଚିକ୍ରାର କଲେ ଯେ, ସେମାନଙ୍କ ଛାତି ବି ହକି ପାଇଁ ଧଡ଼ଧଡ଼ ହଉଚି । ଯିଏ ଲୁଟିବା କଥା ଲୁଟିଲା । କାନ୍ଥବାଡ଼ ଓ ରାସ୍ତାଘାଟରେ ରଂଗ ବୋଳି ଯିଏ ଯେମିତି ପାଇଲା ସେମିତି ଖାଇଲା । ସାଧାରଣ ଜନତା ଭକୁଆ ।
ମୁଖିଆ ଆରମ୍ଭ କରିଦେଲେ ‘ମୋ ସାଇକଲ୍‌’ । ଜାଗାବାରେ ଜାଗା ମୋ ସାଇକଲ ଲାଗି ଷ୍ଟାନ୍ଦ ହେଇଗଲା । ଲକ୍‌ଡାଉନ୍‌ ସମୟରେ ହେଲେ କେହି ଏହାକୁ ଚଳେଇଥାନ୍ତେ! ଏବେ ବି ଅନାଥ ପରିକା ରାସ୍ତାରେ ଗଡୁଚନ୍ତି ମୋ ସାଇକଲ । ମୁଖିଆଙ୍କ ସାଇକଲ ବିହନ ବି ବୁଡିଲା । ସେମିତି ‘ମୋ ବସ୍‌’ ଆରମ୍ଭ କରାଯାଇଥିଲା । ଏବେ କରୋନା ପାଇଁ ସେମାନେ ଲକଡାଉନ୍‌ରେ । ଆଗକୁ ୟାଙ୍କ ଅବସ୍ଥା ବି ମୋ ସାଇକଲ୍‌ ପରିକା ହବ ।
ଏଥର ପୁଣି ମୁଖ୍ୟମନ୍ତ୍ରୀ ହବା ପରେ ‘ ମୋ ପରିବାର’ ଆଇଡିଆ ମୁଖିଆଙ୍କ ମୁନ୍ଦକୁ ଢୁକିଥିଲା । ଇଲେକସନ୍‌ ଆଗରୁ ‘ମୋ ପରିବାର’କୁ ବ୍ରାନ୍ଦିଂ କରିଥିଲେ ମୁଖିଆ । କେତେ ବଡ଼ବଡ଼ ହୋର୍ଡିଂ ଯେ ମରା ହେଇନଥିଲା? ଖବରକାଗଜ ଗୁଡିକରେ କେଡେକେଡ ବିଜ୍ଞାପନ ଦେଇନଥିଲେ? ମୁଖ୍ୟମନ୍ତ୍ରୀ ପୁଣି ହବା ପରେ ମୁଖିଆ କହିଲେ ଯେ, ସାରା ଓଡ଼ିଶା ‘ମୋ ପରିବାର’ ।
କରୋନା ବେଳେ ଏହି ବିହନ ବି ବୁଡିଗଲା । ପ୍ରବାସୀ ଶ୍ରମିକଙ୍କୁ ନଆଣି ସାର୍ଟିଫିକେଟ୍‌ ଗୋଟେଇବା ଲାଗି ମୋ ପରିବାରର ମୁଖିଆ କେତେ ଉଦ୍ୟମ କରିନଥିଲେ ଭଲା! କିଛି ଆସିବା ପରେ ରୋକିବା ପାଇଁ ମଧ୍ୟ ଚକ୍ରାନ୍ତ କରିଥିଲେ । ସେତିକିରେ ବି ମନ ବୁଝିଲା ନାହିଁ ତାଙ୍କର । ଏବେ ତାଙ୍କରି ପରିବାର ଠାରୁ ଭଡା ଆଦାୟ ପାଇଁ ଦାତା ବୋଲେଇବାକୁ ବାହାରିଚନ୍ତି ମୁଖିଆ । ତାଙ୍କରି ଧନ ତାଙ୍କୁ ଦେଇ, ମଝିରେ ଦାତାକର୍ଣ୍ଣ ବୋଲାଇ ।
କେନ୍ଦ୍ର ଦଉଚି ୮୫ଭାଗ ରେଳଭଡା । ଆଉ ୧୫ ଭାଗ ଦବାକୁ ମୁଖିଆଙ୍କର ପଇସା ନାହିଁ । କହିଲେଣି ଭରଣା କରିବୁ, କିନ୍ତୁ କ୍ୱାରେଣ୍ଟାଇନ୍‌ ଖର୍ଚ୍ଚରୁ କାଟି ରଖିବୁ । ଏହାକୁ କୁହନ୍ତି ପ୍ରକୃତ ମୁଖିଆ!
ସବୁ ‘ମୋ’ ବିହନ ବୁଡିଗଲାଣି । ଦେଖାଯାଉ ‘ମୋ ସରକାର’ ବୁଡିବ କେବେ? କିଛିଦିନ ହେଲା କରୋନା ପାଇଁ ହଉକି କ’ଣ ‘ମୋ ସରକାର’ କଥା କେହି ଆଲୋଚନା କରୁନାହାଁନ୍ତି । କେ ଜାଣେ ବିହନ ବୁଡିଗଲାଣି କି ନାହିଁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*