ପିଙ୍କ୍‌ ବଲ୍‌ ଟେଷ୍ଟ ପାଇଁ ଖେଳାଳି ଓ କୋଚଙ୍କ ବ୍ୟାପକ ପ୍ରସ୍ତୁତି ଲେନଥ ଉପରେ ଫୋକସ୍‌-ସାମି, ମୁଁ ଦେଖିଲିଣି ସ୍ୱପ୍ନ: ରାହାଣେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା

ଶୁକ୍ରବାର ଦିନ ଐତିହାସିକ ଇଡେନ ପଡିଆରେ ନୂଆ ଇତିହାସ ଲେଖାଯିବାକୁ ଅଛି । ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଗୋଲାପୀ ବଲ୍‌ରେ ଏଠାରେ ଖେଳାଯିବ । ଏଥିପାଇଁ ଭାରତ ଓ ବାଂଲାଦେଶ ଖେଳାଳିମାନେ ମଙ୍ଗଳବାର ଏଠାରେ ପହଞ୍ଚିଥିଲା ବେଳେ ଏହି ବିଶେଷ ମ୍ୟାଚ୍‌ ସକାଶେ ଖେଳାଳି ଓ କୋଚଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାରତୀୟ ଉପଅଧିନାୟକ ପିଙ୍କ୍‌ ବଲ ଟେଷ୍ଟକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା ବେଳେ ପେସ୍‌ ବୋଲର ମହମ୍ମଦ ସାମି କିପରି ଏହି ମ୍ୟାଚ୍‌ରେ ଅଧିକ ୱିକେଟ ବାହାର କରିବେ ସେହି ରଣନୀତି ପ୍ରସ୍ତୁତିରେ ଲାଗିଗଲେଣି । ଗତ କେତୋଟି ମ୍ୟାଚ୍‌ରେ ବଢିଆ ଫର୍ମ ଦେଖାଇଥିବା ସାମି ଏହି ଐତିହାସିକ ଦିବାରାତ୍ର ଟେଷ୍ଟରେ ଶ୍ରେଷ୍ଠ ବୋଲର ହେବା ପାଇଁ ଅଣ୍ଟା ଭିଡି ସାରିଲେଣି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ସାମି ୭ ୱିକେଟ ନେବାରେ ଭାରତ ଇନିଂସ ବିଜୟ ପାଇଥିଲା । ଏହି ମ୍ୟାଚ୍‌ ବାବଦରେ ନିଜ ରଣନୀତି ତେଜ୍‌ କରିଥିବା ସାମି କହିଛନ୍ତି ଯେ ମୁଁ ପିଙ୍କ ବଲ୍‌ ଟେଷ୍ଟରେ ବୋଲିଂ କଲାବେଳେ ଲେନଥରେ ବିବିଧତା ଆଣିବା ପାଇଁ ଲାଗିପଡିବି । କେତେବେଳେ ଫୁଲ୍‌ ତ କେତେବେଳେ ସଟ୍‌ ରଖି ବ୍ୟାଟ୍ସମ୍ୟାନ୍‌ଙ୍କୁ ଚିନ୍ତା ଭିତରକୁ ଠେଲି ଦେବା ପାଇଁ ମୋର ଗେମ୍‌ ପ୍ଳାନ୍‌ ରହିବ । ପିଚ୍‌ କିପରି ଖେଳୁଛି ତାହା ଉପରେ ମୁଁ ରଖିବି ନଜର । ଯଦି ପିଚ୍‌ରେ ବଲ୍‌ ସ୍ଲୋ ରହିଲା ତା’ହେଲେ ମୋତେ ଲେନଥରେ ବିଶେଷ ପରିବର୍ତ୍ତନ କରିବାକୁ ପଡିବ । ସାମିଙ୍କ ଏପରି ରଣନୀତି ପ୍ରସ୍ତୁତି ପରିବେଶରେ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର କହିଛନ୍ତି ଟିମ୍‌ ଇନ୍ଦିଆ ନିଶ୍ଚିତ ଭାବେ ପ୍ରଭାବବିସ୍ତାର କରି ଖେଳିବ । ସେ କିନ୍ତୁ ବଡ଼ ସଫଳତା ପାଇଥିବା ଓପନର ମୟଙ୍କ ଅଗ୍ରୱାଲଙ୍କୁ ସତର୍କ କରାଇଦେଇଛନ୍ତି ଆଗାମୀ ଇନିଂସଗୁଡିକ ସକାଶେ । ବର୍ତ୍ତମାନ ଟେଷ୍ଟ କି୍ରକେଟର ସେ ବଡ଼ ମଜା ନେଉଛନ୍ତି । ଏହା ତାଙ୍କର ପ୍ରଥମ ବର୍ଷ । ହେଲେ ଦ୍ୱିତୀୟ ବର୍ଷରେ ତାଙ୍କ ପାଇଁ ରନ୍‌ ସଂଗ୍ରହ ଏପରି ଜାରି ରଖିବା ସମ୍ଭବ ହୋଇନପାରେ । କାରଣ ତାଙ୍କ ଖେଳ ବାବଦର ପ୍ରଚୁର ଡାଟା ବିପକ୍ଷ ଦଳମାନଙ୍କ ପାଖରେ ଜମା ହେବାକୁ ଲାଗିଲାଣି । ଯାହା ଦ୍ୱିତୀୟ ସିଜିନ୍‌ ବେଳକୁ ତାଙ୍କ ବିରୋଧରେ ରଣନୀତି ବନାଇବା ଲାଗି କାମରେ ଆସିବ । ତେବେ ଗାଭାସ୍କର କହିଥିଲେ ବର୍ତ୍ତମାନ ନିଜ କି୍ରକେଟ ଜୀବନର ସର୍ବଶ୍ରେଷ୍ଠ ସମୟ ଦେଇ ମୟଙ୍କ ଗତି କରୁଛନ୍ତି ବୋଲି । ସେହିପରି ଆଉ ଜଣେ ପୂର୍ବତନ ଓପନର ଗୌତମ ଗମ୍ଭୀର କହିଛନ୍ତି ଭାରତୀୟ ଦଳ ବର୍ତ୍ତମାନ ଟେଷ୍ଟ କି୍ରକେଟରେ ସଶକ୍ତ ବୋଲିଂ ୟୁନିଟ୍‌ ପାଇସାରିଛି । ଉନ୍ନତମାନର ପେସ୍‌ ବୋଲରଙ୍କ ସହ ତାଙ୍କ ପାଖରେ ଏବେ କ୍ୱାଲିଟି ସ୍ପିନର ମଧ୍ୟ ଅଛନ୍ତି ।
ସ୍ୱପ୍ନ ବି ଗୋଲାପୀ
ଗୋଲାପୀ ବଲ୍‌ରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ହେବା ପାଇଁ ଆହୁରି ଦୁଇଦିନ ବାକି ଅଛି । ହେଲେ ଖେଳାଳିମାନଙ୍କ ମନରେ ଏଥିପ୍ରତି ରହିଥିବା ଉତ୍ସୁକତା ଚରମରେ ପହଞ୍ଚି ସାରିଲାଣି । ଭାରତୀୟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଙ୍ଗଳବାର ସାମ୍ବାଦିକମାନଙ୍କୁ କହିଛନ୍ତି ମୁଁ ସ୍ୱପ୍ନରେ ଗୋଲାପୀ ବଲ୍‌ କି୍ରକେଟ ଦେଖିବା ଆରମ୍ଭ କରିସାରିଲାଣି । ଏପରିକି ଶୋଇଲା ବେଳେ ସେ ଗୋଲାପୀ ବଲ୍‌ ପାଖରେ ରଖି ଶୋଉଛନ୍ତି ବୋଲି ବତାଇଛନ୍ତି ରାହାଣେ । ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେ ଛାଡିଛନ୍ତି ।
ପହଞ୍ଚିଲେ ଖେଳାଳି
ଶୁକ୍ରବାରର ଟେଷ୍ଟ ପାଇଁ ଉଭୟ ଭାରତ ଓ ବାଂଲାଦେଶ ଖେଳାଳିମାନେ ସିଟି ଅଫ୍‌ ଜୟରେ ପହଞ୍ଚିବା ଆରମ୍ଭ କରିଛନ୍ତି । ସକାଳ ପ୍ରାୟ ୧୦ଟା ବେଳେ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରାହାଣେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀକ ବିମାନ ବନ୍ଦରେ ଅବତରଣ କରିବା ପରେ ଟିମ୍‌ ହୋଟେଲ ଅଭିମୁଖେ ଯାଇଥିଲେ । ଅନ୍ୟ ଖେଳାଳିମାନେ ଦିନ ମଧ୍ୟରେ ଏଠାରେ ଆସି ପହଞ୍ଚିଛନ୍ତି । ମଙ୍ଗଳବାର ଡେରି ରାତିରେ ଇଶାନ୍ତ ପହଞ୍ଚିଥିଲା ବେଳେ ରୋହିତ ଶର୍ମା ଏବଂ ଉମେଶ ଯାଦବ ବୁଧବାର ସକାଳେ ପହଞ୍ଚିବେ । ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ବାଂଲାଦେଶ କୋଚ୍‌ ରସେଲ ଡୋମିିନଗୋ ମଧ୍ୟ ପହଞ୍ଚିଛନ୍ତି ଏଠାରେ । ଭାରତୀୟ କୋଚ୍‌ ବିମାନ ବନ୍ଦରରୁ ସିଧାସଳଖ ହୋଟେଲ ନଯାଇ ପ୍ରଥମେ ଇଡେନ ପଡିଆରେ ପହଞ୍ଚି ସନ୍ଧ୍ୟାରେ ଏହାର ପରିବେଶକୁ ଦେଖିଥିଲେ ବୋଲି ସୂଚନା ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*