ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିକାଶ ଯାତ୍ରାରେ ଆଜି ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନବନିର୍ମିତ ‘ଆଇକନିକ୍ ଟାୱାର’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ କରକମଳରେ ଏହାର ଲୋକାର୍ପଣ କରିଛନ୍ତି ।

ଏହି ଐତିହାସିକ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଶିକ୍ଷା ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଲିଙ୍ଗରାଜ ମନ୍ଦିରର କଳିଙ୍ଗ ସ୍ଥାପତ୍ୟ ଶୈଳୀରୁ ଅନୁପ୍ରାଣିତ ହୋଇ ନିର୍ମିତ ଏହି ‘ଆଇକନିକ୍ ଟାୱାର’ କେବଳ ଏକ ଭବ୍ୟ ସ୍ଥାପତ୍ୟ ନୁହେଁ, ବରଂ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଜ୍ଞାନ ହିଁ ପ୍ରକୃତ ଶକ୍ତି’ ଏବଂ ଏହି ଜ୍ଞାନ କେବଳ ଉତ୍ତମ ଶିକ୍ଷାରୁ ହିଁ ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆଜି ଭାରତ ଶିକ୍ଷା କ୍ଷେତ୍ରରେ ନୂତନ ଶିଖର ଛୁଉଁଛି। ଦେଶରେ ଲାଗୁ ହୋଇଥିବା ନୂତନ ଶିକ୍ଷାନୀତି ଶିକ୍ଷାର ପରିଭାଷା ବଦଳାଇବା ସହ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରୁଛି। ବର୍ତ୍ତମାନ ସମଗ୍ର ଦେଶରେ IIT, IIM, ଗବେଷଣା କେନ୍ଦ୍ର ଏବଂ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ରୁତ ଗତିରେ ଗଢ଼ିଉଠୁଛି। କେବଳ ସରକାରୀ ନୁହେଁ, ବରଂ ବେସରକାରୀ କ୍ଷେତ୍ରରେ ମଧ୍ୟ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ହେଉଥିବା ବେଳେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏହି ଆଇକନିକ୍ ଟାୱାର ସେହି ପ୍ରଗତିଶୀଳ ଚିନ୍ତାଧାରାର ଏକ ଜ୍ୱଳନ୍ତ ପ୍ରତୀକ ପାଲଟିଛି।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଜାତୀୟ ଶିକ୍ଷା ନୀତିର ପ୍ରଭାବରେ ଦେଶରେ ଶିକ୍ଷାର ରୂପରେଖ ବଦଳୁଛି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ମହାନ ଲକ୍ଷ୍ୟ ହାସଲ କରିବା ପାଇଁ ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏହି ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ‘ସାର୍ବଜନୀନ ମାଗଣା ଶିକ୍ଷା’ ଯୋଜନା ଲାଗୁ କରାଯାଇଛି। ରାଜ୍ୟ ସରକାରଙ୍କ ‘କେଜି ଟୁ ପିଜି ମାଗଣା ଶିକ୍ଷା’ ଯୋଜନା ଅଧୀନରେ ଏବେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ନିଃଶୁଳ୍କ ହୋଇପାରିଛି।

ଏହା ସହିତ ରାଜ୍ୟରେ ମହିଳା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷକରି ଗରିବ ବର୍ଗର ପରିବାର ନିମନ୍ତେ ଏକ ଐତିହାସିକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ଗରିବ ପରିବାରର କନ୍ୟା ସନ୍ତାନଙ୍କ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ବିଶେଷ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଅନୁଯାୟୀ, ୨୦୨୬ ଏପ୍ରିଲ ପରଠାରୁ ଗରିବ ପରିବାରରେ ଜନ୍ମଗ୍ରହଣ କରୁଥିବା ନବଜାତ କନ୍ୟା ସନ୍ତାନଙ୍କ ନାମରେ ୨୦ ହଜାର ଟଙ୍କା ଜମା କରାଯିବ ଏବଂ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଶିକ୍ଷା କ୍ଷେତ୍ରରେ ଏଭଳି ସଂସ୍କାରମୂଳକ ପଦକ୍ଷେପ ଓଡ଼ିଶାର ଯୁବପିଢ଼ି ଓ ମହିଳାମାନଙ୍କ ଭବିଷ୍ୟତକୁ ନୂଆ ଦିଶା ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *