ତାମିଲନାଡୁର ତିରୁଭଲ୍ଲୁରଠାରେ ଥିବା ସେଣ୍ଟ ପଲ ଖାଦ୍ଯ ପ୍ରକ୍ରିୟାକରଣ ଫେକ୍ଟ୍ରିରେ ଗ୍ଯାସ ଲିକ ହୋଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ନାବାଳିକା ଓ ମହିଳାଙ୍କ ମର୍ମନ୍ତୁଦ ମୂତ୍ଯୁ ଘଟିଥିଲା। ଏହି ବିଷୟକୁ ନେଇ ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନ ଦଳ କେନ୍ଦୁଝର ଜିଲ୍ଲା ଗସ୍ତକରି ପିଡିତ ପରିବାର ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ଅନୁଧ୍ୟାନ ଦଳର ସଦସ୍ୟ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଙ୍କସହ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ ,ଗଣମାଧ୍ୟମ ଅଧ୍ଯକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ। ଗଣମାଧ୍ୟମ ଅଧ୍ଯକ୍ଷ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେବାପରେ ପିସିସି ସଭାପତି ଭକ୍ତଚରଣ ଦାସ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଭୋକର ଭୂଗୋଳ ଦିନେ କଳାହାଣ୍ଡିକୁ କୁହା ଯାଉଥିଲା କିନ୍ତୁ ଆଜି କେନ୍ଦୁଝର ଭୋକର ଭୂଗୋଳ ପାଲଟି ଯାଇଛି। ଗତ କାଲିର କେନ୍ଦୁଝର ଗସ୍ତ ହୃଦୟ ବିଦାରକ ଥିଲା ଯାହା ଭାଷାରେ ଅବର୍ଣ୍ଣନୀୟ। ଦୁଃଖର ବିଷୟ ଯେଉଁ କେନ୍ଦୁଝର ଖଣିଜ ସମ୍ପଦ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ରାଜ୍ୟକୁ ଦେଉଛି ସେହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବେବି ଲୋକଙ୍କ ପାଇଁ ଅପହଞ୍ଚ। ରାସ୍ତାଘାଟ ନାହିଁ, ସ୍ବଚ୍ଛ ପାଣିର ସାଧନ ନାହିଁ ଏବଂ ରୋଜଗାର ନାହିଁ। ଆଶ୍ଚର୍ଯ୍ୟର କଥା ଯେଉଁ ଅଞ୍ଚଳରେ ୫୦-୬୦ ବର୍ଷଧରି ଓଏମସି କାର୍ଯ୍ୟ କରୁଛି ତାର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ମଧ୍ୟ ଏତେ ଅବହେଳିତ ବିଶ୍ବାସ ହେବନି। ବାହାର ରାଜ୍ୟର ଶିଳ୍ପପତି ଆସି ଲୁଟକରି ନିଜ ରାଜ୍ୟ କାରଖାନାକୁ ପଠାଉଛନ୍ତି ଏବଂ ସେହି ଖଣିଜ ସମ୍ପଦର ମାଲିକ ଆଦିବାସୀ ଯୁବକ ଯୁବତୀ ବାହାର ରାଜ୍ଯକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। କେନ୍ଦୁଝର ଜିଲ୍ଲାରେ ଯେତେ ଖଣିକାମ ହେଉଛି ତାରଯଦି ଶତକଡା ୫ଭାଗ ମେନୁଆଲ କାର୍ଯ୍ୟ କରାଯାଆନ୍ତା ତେବେ ଜିଲ୍ଲାର କର୍ମନିଯୁକ୍ତି ସମତ୍ସା ସଂପୂର୍ଣ୍ଣ ଭାବରେ ଦୁର ହୋଇ ପାରନ୍ତି। ଜିଲ୍ଲାରୁ ହଜାର ହଜାର ସଂଖ୍ଯାରେ ବାହାରକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି କିନ୍ତୁ ସେମାନଙ୍କ ପଞ୍ଜିକରଣ ସୁରକ୍ଷା ଓ ବୀମା କିଛି ମଧ୍ୟ ନାହିଁ। ପ୍ରଧାନମନ୍ତ୍ରୀ ଦୁଇଥର ଆସି ବିକାଶ ଉତ୍ସବ ପାଳନକରିଛନ୍ତି ଆମେ ପ୍ରଶ୍ନ କରୁଛୁ ମୁଖ୍ଯମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଉତ୍ସବ ମନାଇବାପାଇଁ ନିଜ ଜିଲ୍ଲାକୁ କାହିଁକି ଡାକିଲେ ନାହିଁ। ୮୦ ଦଶକର ଲାଞ୍ଜିଗଡ ଅବସ୍ଥା ଆମେ ଦେଖିଥିଲୁ ଦୁଃଖର କଥା ୨୦୨୬ ମସିହାରେ ମଧ୍ୟ ସେହି ସମାନ ଅବସ୍ଥା କେନ୍ଦୁଝର ରେ ଦେଖିବାବକୁ ମିଳୁଛି । ଜୁଆଙ୍ଗ ଜନଜାତିଙ୍କ ଖାଦ୍ଯ, ବସ୍ତ୍ର ଓ ବାସଗୃହ ଦେଖି ନିଜକୁ ଲଜ୍ଜିତ ମନେହେଲା। ସବୁଠାରୁ ବେଶୀ ଲଜ୍ଯାକର ବିଷୟ ହେଉଛି ଜୁଆଙ୍ଗ ଅଧ୍ଯୁଷିତ ଅଞ୍ଚଳରୁ ଦାଦନ ବୋହିବା ପାଇଁ ତିନିଗୋଟି ଏକ୍ସପ୍ରେସ୍ ବସ୍ ଚାଲିଛି ଯାହା ଦାଦନ ଏକ୍ସପ୍ରେସ୍ ନାମରେ ପରିଚିତ। ସେଥିରେ ମୁଖ୍ଯମନ୍ତ୍ରୀ ନିଜ ବ୍ଲକ ବାଂଶପାଳ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ରାଜ୍ଯରେ ୪୭୦୦୦ ଜୁଆଙ୍ଗ ରହିଥିବା ବେଳେ ସେଥିମଧ୍ୟରୁ କେବଳ କେନ୍ଦୁଝର ଜିଲ୍ଲାରେ ୩୫୦୦୦ ଜୁଆଙ୍ଗ ବସବାସ କରୁଛନ୍ତି। ଅନ୍ଯଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ୧୪୦୦୦ କୋଟିର ଯେଉଁ ମିନେରାଲ ଫଣ୍ଡ ଜିଲ୍ଲାରେ ଗଚ୍ଛିତ ଅଛି ତାହା ସରକାର ବ୍ଯବହାର କରନ୍ତୁ ଏବଂ ଜିଲ୍ଲାର ଆଦିବାସୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରି ଖର୍ଚ୍ଚ କରନ୍ତୁ। କଂଗ୍ରେସ ଦଳ ଦାବୀ କରୁଛି ପ୍ରତ୍ଯେକ ପିଡିତ ପରିବାର ନାମରେ ୨୫ ଲକ୍ଷ ଟଙ୍କା ସ୍ଥାୟୀ ଜମାକରାଯାଉ ଫଳରେ ସୁଧ ଟଙ୍କାରେ ସେ ପରିବାରର ଭରଣପୋଷଣ ହୋଇପାରିବ ।ତେବେ କଂଗ୍ରେସ ଦଳର ଦାବୀ ପୁରଣ ନହେଲେ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଭକ୍ତ ଦାସ ପ୍ରକାଶ କରିଛନ୍ତିି। ସେହିପରି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆଦିବାସୀ କିଭଳି ଅବହେଳିତ ଓ ପ୍ରତାରିତ ତାହାର ନଗ୍ନ ଉଦାହରଣ ହେଲା କେନ୍ଦୁଝର ଜିଲ୍ଲା ଏହା ସାରା ରାଜ୍ୟର କଥା। ଆମ ପ୍ରଶ୍ନ ହେଉଛି ମୁଖ୍ଯମନ୍ତ୍ରୀ ନିଜେ ଆଦିବାସୀ ପୁଣି ତାଙ୍କ ନିଜ ଜିଲ୍ଲା ନିଜ ବ୍ଲକରେ ଏହି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି କିନ୍ତୁ ମୁଖ୍ଯମନ୍ତ୍ରୀ ଆଦିବାସୀ ଶୋକ ସନ୍ତପ୍ତ ପରିବାର କୁ ଭେଟିବାକୁ ସମୟ ପାଇଲେ ନାହିଁ। ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ଯରେ ୬୪ ପ୍ରକାର ଆଦିବାସୀ ବସବାସ କରନ୍ତି ଏବଂ ତନ୍ମଧ୍ୟରୁ ୧୩ ପ୍ରକାର କେବଳ କେନ୍ଦୁଝରରେ ବାସ କରନ୍ତି । ଖଣି ଅଞ୍ଚଳ ଦୈତାରୀ ଓ ଗନ୍ଧମାର୍ଦନ ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ସେ ଆଉ ମଧ୍ୟ କହିଛନ୍ତି କେନ୍ଦୁଝରରୁ କେତେ ଆଦିବାସୀ ଦାଦନ ଖଟିବାକୁ ଯାଇଛନ୍ତି ସରକାରଙ୍କ ପାଖରେ ତଥ୍ୟ ନାହିଁ । ସରକାର କେନ୍ଦୁଝର ଖଣି ଗୁଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କାରେ ନିଲାମ କରୁଛନ୍ତି କିନ୍ତୁ କେନ୍ଦୁଝର ବିକାଶ ହେଉନି । ସରକାର ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ, ସୁରକ୍ଷା ଓ ବୀମା ପାଇଁ ଯୋଜନା ପ୍ରଣୟନ କରନ୍ତୁ । ଦାଦନଙ୍କୁ ନେଇ ଯେଉଁ ଏଜେନ୍ସି ଶୋଷଣ କରୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପ୍ରକୃତରେ ଓଡିଶା ଗରିବ ନୁହେଁ, ଓଡ଼ିଆଙ୍କୁ ଗରିବ କରି ରଖାଯାଇଛି । ସମ୍ମିଳନୀରେ ଉପସ୍ଥିତଥିବା ଅନ୍ୟତମ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିଜ ବ୍ୟକ୍ତବ୍ୟରେ କହିଛନ୍ତି, କେନ୍ଦୁଝର ମୋ ନିଜ ଜିଲ୍ଲା ତଥା ରାଜନୈତିକ କ୍ଷେତ୍ର । ତେଣୁ ଏହି ଦାରୁଣ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୋର ପରମ କର୍ତ୍ତବ୍ୟ ଚିନ୍ତାକରେ । “ବିକାଶ ଧାରା ଓଡିଶା ସାରା” ସରକାରଙ୍କ ସ୍ଲୋଗାନର ବାସ୍ତବ ଚିତ୍ର କେନ୍ଦୁଝର କହୁଛି । ଅତି ଦୁଃଖର କଥା କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ସ୍ଵାକ୍ଷରତା ହାର ଅତ୍ୟନ୍ତ ନିରାଶାଜନକ ବାଂଶପାଳରେ ମହିଳାଙ୍କ ହାର ଶତକଡା ୪୪ ଭାଗ ଥିବାବେଳେ ତେଲକୋଇରେ ଶତକଡା ୫୩ ଭାଗ ରହିଛି । କେନ୍ଦୁଝରରୁ ୧୦୦ ଜଣ ଦାଦନଙ୍କୁ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ସହରର ବଡ଼ ଦଲାଲାଙ୍କ ଜରିଆରେ ଚାଲାଣ କରିଥିଲା । ଏମାନଙ୍କ ମଧ୍ୟରେ ମୃତାହତ ଅନ୍ତର୍ଭୁକ୍ତ । ଏପର୍ଯ୍ୟନ୍ତ ତାକୁ ଗିରଫ କରାଯାଇ ନାହିଁ । ପୀଡିତ ପରିବାରବର୍ଗଙ୍କ ଗ୍ରାମ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ବାସସ୍ଥାନରୁ ମାତ୍ର ୨୦/୩୦ କିମି ଦୂରରେ ତଥାପି ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରଙ୍କୁ ସାକ୍ଷାତ ପାଇଁ ଆସି ପାରିଲେ ନାହିଁ । ରାଷ୍ଟ୍ରପତି ମହୋଦୟା ନିଜେ ଆଦିବାସୀ ଓ ମହିଳା କିନ୍ତୁ ଏହି ଦୁଃଖଦ ଘଟଣା ସାନ୍ତ୍ୱନା ଟିକିଏ ମଧ୍ୟ ଦେଇ ପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ହେବା ଏକ ସଉକ ବୋଲି ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି ବୋଲି ଜୟଦେବ ଜେନା ପ୍ରକାଶ କରିଥିଲେ ଓ ପୁଣି କହିଥିଲେ ଆଦିବାସୀ ଜନଜାତିଙ୍କ ପାଇଁ କଂଗ୍ରେସ ସଦାବେଳେ ସଂଗ୍ରାମ କରୁଛି ଏବଂ କରୁଥିବ ବୋଲି ଜୟଦେବ ଜେନା ମତବ୍ୟକ୍ତ କରିଥିଲେ । Post navigation Tamil Nadu Ammonia Gas Leak: ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ୧୫କୁ ବୃଦ୍ଧି ପାଇଲା ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା Cattle Mafia Case: ଗୋ ମାଫିଆକୁ ସହଯୋଗ ଅଭିଯୋଗରେ ୨ ପୋଲିସ ନିଲମ୍ବିତ