ବ୍ରହ୍ମପୁର; ବ୍ରହ୍ମପୁରରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତେଜିଲା ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରୁଛି ବିଜେପି । ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଓ ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି । ମଙ୍ଗଳବାର ରାତିରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ହଷ୍ଟେଲ ମେସକୁ ଡାକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ନିଜ ଘର ବୋଲି କହି ଛାତ୍ରୀଙ୍କୁ ଡାକି ନେଇଥିଲା ପରେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇଥିଲେ । ଛାତ୍ରୀ ଅଚେତ ହୋଇପଡିବା ପରେ ୫ ଜଣ ସାଙ୍ଗ ମିଶି ଗଣ ଦୁଷ୍କର୍ମ କରିଥିଲେ । ଏପରିକି ଏକଥା କାହାକୁ କହିଲେ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ । ଏହି ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତକାଲି ଏହି ସୂଚନା ଦେଇଥିଲେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ।

ଏସପିଙ୍କ କହିବା ଅନୁସାରେ ନାବାଳିକା ଛାତ୍ରୀ ଜଣକ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଘରକୁ ଡାକିଥିଲେ । ହେଲେ ଯୁବକ ଜଣକ ତାଙ୍କୁ ହଷ୍ଟେଲ ନେଇ ସାଙ୍ଗମାନଙ୍କ ସହ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ । ଗିରଫ ହୋଇଥିବା ସମସ୍ତ ଯୁବକ ସାବାଳକ । କେହି ମଧ୍ୟ ଛାତ୍ରୀଙ୍କ ସହପାଠୀ ବା ବନ୍ଧୁ ନଥିଲେ । ଗତକାଲି ବୈଦ୍ୟନାଥପୁର ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

By SonaliP

Leave a Reply

Your email address will not be published. Required fields are marked *