ବରଗଡ଼: ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ବରଗଡ଼ ପୂର୍ବତନ ବିଧାୟକ ସାଧୁ ନେପାକ ଇସ୍ତଫାପତ୍ର ପଠାଇଛନ୍ତି। ସେ ଇସ୍ତଫାପତ୍ରରେ ଲେଖିଛନ୍ତି ମୁଁ ଅନୁଭବ କରୁଛି ଯେ ଦଳ ଆଉ ମୋତେ ଆବଶ୍ୟକ କରୁନାହିଁ କିମ୍ବା ଅବଦାନକୁ ସ୍ବୀକୃତି ଦେବା ନାହିଁ ପ୍ରସ୍ତୁତ ନୁହେଁ ।

ନିର୍ବାଚନର କିଛିଦିନ ପୂର୍ବରୁ ସାଧୁଙ୍କ ଇସ୍ତଫା ବିଜୁ ଜନତା ଦଳ ପାଇଁ ବରଗଡ଼ ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ର ସବୁ ପାଇଁ ଏକ ବଡ଼ ଧକ୍କା । ସେମାନଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ଆଚାର୍ଯ୍ୟ ପରିବାରକୁ ବାରମ୍ବାର ଗୁରୁତ୍ୱ ଦିଆଯିବା ସାଧୁ ନେପାକ ଓ ତାଙ୍କ ସମର୍ଥକଙ୍କ ପାଇଁ ଗ୍ରହଣୀୟ ହୋଇପାରିନଥିଲା ।

ବହୁ ପୂର୍ବରୁ ଟିକେଟ ଆଶ୍ୱାସନା ଦିଆଯାଇଥିବା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଯିବା ଓ ଅନ୍ୟ କୌଣସି ଆସନରୁ ପ୍ରାର୍ଥୀ ନ କରାଯିବା ସାଧୁଙ୍କୁ ବହୁତ ଦୁଃଖ ଓ ଆଘାତ ଦେଇଥିଲା । ସାଧୁଙ୍କ ଟିକେଟ କଟିବା ପଛରେ ପାଣ୍ଡିଆନଙ୍କ ହାତ ଥିବା ବିଷୟ ବରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧୁ ଓ ତାଙ୍କ ପୁଅ ସଂଗ୍ରାମ ବବି ଦାସ ଓ ସୁଶାନ୍ତ ସିଂଙ୍କ ନିକଟତମ ହୋଇଥିବାରୁ ପାଣ୍ଡିଆନ ଏପରି କରିଛନ୍ତି ବୋଲି କୁହାଯାଉଛି ।

୨୦୦୯ରେ ବରଗଡ଼ ବିଧାୟକ ନିର୍ବାଚିତ ହୋଇଥିଲେ ସାଧୁ ନେପାକ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ବର୍ତ୍ତମାନ ସେ କେଉଁ ଦଳରେ ସାମିଲ ହେବେ ତାହାର ସୂଚନା ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *