ନିର୍ବାଚନ ହାରିବାର ଭୟ ଘାରିଛି ବିଜୁ ଜନତା ଦଳକୁ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଂଟିବା ଆରମ୍ଭ କରିଦେଇଛି ବୋଲି ଅଭିଯୋଗ କରିଛି ବିଜେପି। ଗତ ନିର୍ବାଚନ ମାନଙ୍କରେ ମିଥ୍ୟା ପ୍ରତିଶ୍ରୁତି, ସରକାରୀ କଳକୁ ବ୍ୟବହାର କରି ଏବଂ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଭାବିତ କରିଛି । ଏଥର ମଧ୍ୟ ସେହି ଚିରାଚରିତ ଅଭ୍ୟାସକୁ ଆପଣାଇଛି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ । ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ସହାୟକ ବିଜେଡି କର୍ମୀ ତ୍ରିନାଥ ଭଟ୍ଟ ଖୋଲା ରାସ୍ତାରେ ଟଙ୍କା ବଣ୍ଡଲ ଧରି ବାଂଟୁଛନ୍ତି ବୋଲି ଅଭିଯୋଗ କରିଛି। ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଜେଡି କର୍ମୀ ତ୍ରିନାଥ ଭଟ୍ଟଙ୍କ ଏଭଳି ଆଚରଣ ବିଧି କାର୍ଯ୍ୟ ସମ୍ପର୍କରେ ଅବଗତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ପ୍ରତିନିଧିମଣ୍ଡୀ ।

ସେହିପରି ଦୀର୍ଘବର୍ଷ ଶାସନରେ ବିଜୁ ଜନତା ଦଳ ରହିବା ହେତୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ନିର୍ବାଚନ ପ୍ରଚାରରେ କୁନି କୁନି ପିଲା ଓ ଝିଅମାନଙ୍କୁ ନୃତ୍ୟ କରାଉଛନ୍ତି, ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି ବୋଲି ଅଭିଯୋଗ କରିଛି ବିଜେପି। ବିଜେଡି ନିର୍ବାଚନ ଜିତିବା ଲାଳସାରେ ମାନବିକତା ଭୁଲିଛି, ଶ୍ରୀ ମଲ୍ଲିକଙ୍କ ଏଭଳି ହୀନମାନସିକତାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।ଗଣିଆ ବ୍ଲକ ବିଡିଓ ବେଲିତା ମଞ୍ଜରୀ ନାୟକ ଏବଂ କଂଟାପଡା ବ୍ଲକର ବିଡିଓ ବିରଂଚି ନାରାୟଣ ବେହେରାଙ୍କ ନାଁରେ ଅଭିଯୋଗ ନେଇ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ମାମଲା ଚାଲିଥିଲାବେଳେ ତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବା ମଧ୍ୟ ଇସିଆଇ ଗାଇଡ ଲାଇନକୁ ଉଲଘଂନ କରୁଛି । ସେମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ଅନ୍ତର କରିବା ପାଇଁ ଦାବି କରିଛି ବିଜେପି । ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଆଇଆଇସି ଶାସକ ଦଳକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି । ବିରୋଧୀ ଦଳର ଅଭିଯୋଗକୁ ଗ୍ରହଣ ନକରି ଓଲଟା ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛନ୍ତି । ଯାହାକି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାଧକ ସାଜିଛି ବୋଲି ବିଜେପି ଅଭିଯୋଗ କରିଛନ୍ତି।ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉନ୍ନତୀ ପରିଡା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ଶ୍ରୀରଞ୍ଜନ ମଙ୍ଗରାଜ, ନନ୍ଦିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

 

By Nirvay

Leave a Reply

Your email address will not be published. Required fields are marked *