ଓଡ଼ିଶାର ଉପକୂଳବର୍ତ୍ତୀ ପର୍ଯ୍ୟଟନର ବିକାଶ ଏବଂ ସାମୁଦ୍ରିକ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ପୁରୀରେ ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଛି। ୨୦୨୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୃହତ୍ ପ୍ରକଳ୍ପର ସଫଳ ରୂପାୟନ ପାଇଁ ୨୦୨୪ ଅକ୍ଟୋବର ୨୨ ତାରିଖରେ ପାରାଦ୍ଵୀପ ପୋର୍ଟ ଅଥରିଟି ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇସାରିଛି। ଟର୍ମିନାଲ୍ ସ୍ଥାପନ ପାଇଁ ପୁରୀ ଜିଲ୍ଲାର ସିପସରୁବାଲି ଅଞ୍ଚଳରେ ଭାର୍ଗବୀ ନଦୀର ମୁହାଣ ନିକଟରେ ପ୍ରାୟ ୯୦ ଏକର ଜମି ଚିହ୍ନଟ କରାଯାଇଛି। ବର୍ତ୍ତମାନ WAPCOS ଲିମିଟେଡ୍ ଦ୍ୱାରା ଏକ ‘ଟେକ୍ନୋ-ଇକୋନୋମିକ୍ ଫିଜିବିଲିଟି ରିପୋର୍ଟ’ ପ୍ରସ୍ତୁତ କରାଯାଉଛି। ଏହି ରିପୋର୍ଟ ଆସିବା ପରେ ପ୍ରକଳ୍ପର ଆର୍ଥିକ ଓ ପରିଚାଳନାଗତ ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯାଇ ନିର୍ମାଣ କାର୍ଯ୍ୟ ଆଗେଇ ନିଆଯିବ। ପ୍ରକଳ୍ପର ଯୋଜନା ଓ କାର୍ଯ୍ୟକାରିତାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଓଡ଼ିଶା ମାରିଟାଇମ୍ ବୋର୍ଡର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ପେସାଲ୍ ପର୍ପସ୍ ଭେହିକିଲ୍ ଗଠନ କରାଯିବ। ଏହି ଟର୍ମିନାଲ୍ ନିର୍ମାଣ ହେବା ଦ୍ୱାରା ଦେଶ ଓ ବିଦେଶରୁ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଜଳପଥରେ ଭ୍ରମଣ କରିବାର ଏକ ନୂଆ ଏବଂ ଆକର୍ଷଣୀୟ ସୁଯୋଗ ସୃଷ୍ଟି ହେବ। ଏହା ସହିତ ରାଜ୍ୟର ସାମୁଦ୍ରିକ ବାଣିଜ୍ୟ, ପର୍ଯ୍ୟଟନ ଶିଳ୍ପ ଏବଂ ସ୍ଥାନୀୟ ରୋଜଗାର ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି ଆଶା କରାଯାଉଛି। Post navigation Odisha DGP Appointments Row: ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି; ମଙ୍ଗଳବାର ଆସିପାରେ ରାୟ No International Flights From BBSR Currently: ଭୁବନେଶ୍ୱରରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ରହିଛି ଅନ୍ତର୍ଜାତୀୟ ବିମାନ ଚଳାଚଳ: ରାଜ୍ୟ ପରିବହନ ମନ୍ତ୍ରୀ