ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ହାଇପ୍ରୋଫାଇଲ୍ ଆଇନଜୀବୀମାନେ ନିଜ ନିଜର ପକ୍ଷ ରଖିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖିବା ଆରମ୍ଭ କରିଥିଲେ। ସେହିପରି ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଅନ୍ୟପଟେ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ମାମଲା ପରିଚାଳନା କରି ଆଇନଜୀବୀ କରୁଣା ନନ୍ଦୀ ନିଜର ସପକ୍ଷ ଯୁକ୍ତି ରଖିଛନ୍ତି।

ଏହି ମାମଲାରେ କୋର୍ଟଙ୍କ ଦ୍ୱାରା ପଚରାଯାଇଥିବା କେତେକ ବୈଷୟିକ ପ୍ରଶ୍ନ ଏବଂ ଏକ୍ସ-କ୍ୟାଡର ପଦବୀ ନିର୍ମାଣ ସମ୍ପର୍କିତ ସ୍ପଷ୍ଟୀକରଣ ରଖିବା ପାଇଁ ରାଜ୍ୟ ସରକାର ସମୟ ମାଗିବାରୁ ଶୁଣାଣିକୁ ମୁଲତବୀ ରଖାଯାଇଛି। ଖଣ୍ଡପୀଠରେ ଉଭୟ ପକ୍ଷର ଜୋରଦାର ବିତର୍କ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଛି। ସେହିଦିନ ସୁପ୍ରିମକୋର୍ଟ ରାୟ ଶୁଣାଇପାରନ୍ତି କିମ୍ବା ରାୟ ସଂରକ୍ଷିତ ରଖିପାରନ୍ତି ।

Leave a Reply

Your email address will not be published. Required fields are marked *