ପୁରୀରେ ଏକ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣର ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲିଠାରେ ପ୍ରସ୍ତାବିତ ‘ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର’ ପ୍ରକଳ୍ପ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ଦୂର ହୋଇଛି। ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜଙ୍ଗଲ ଜମି ମଞ୍ଜୁରୀ ଏବଂ ସିଆରଜେଡ୍ ମିଳିସାରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅନୁମୋଦନ ମିଳିବା ପରେ ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ସହଯୋଗରେ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଷ୍ଟେଜ୍-୧ ମଞ୍ଜୁରୀ ମିଳିଥିଲା ଏବଂ ଆବଶ୍ୟକୀୟ ଅନୁପାଳନ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ବିଶାଳ ପ୍ରକଳ୍ପ ପାଇଁ ମୋଟ ୧,୧୬୪.୭୫୪ ଏକର ଜମି ଅଧିଗ୍ରହଣ କରାଯାଇଛି, ଯେଉଁଥିରେ ୯୪୨.୮୬୩ ଏକର ସରକାରୀ ଜମି ଏବଂ ୨୨୧.୮୯୧ ଏକର ବେସରକାରୀ ଜମି ସାମିଲ ରହିଛି। ଏହି ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସିପସରୁବାଲି ଏବଂ ଷଷ୍ଠପୁର ମୌଜାରୁ ବିସ୍ଥାପିତ ହେବାକୁ ଥିବା ୧୨୯ଟି ପରିବାର ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ କ୍ଷତିପୂରଣ ଓ ପୁନର୍ବାସ ପ୍ୟାକେଜ୍ ଘୋଷଣା କରାଯାଇଛି। ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ଗୃହ ସହାୟତା ବାବଦରେ ୫ ଲକ୍ଷ ଟଙ୍କା, ନୂତନ ଘର ତିଆରି ପାଇଁ ୩.୩୯ ଲକ୍ଷରୁ ଅଧିକ ଟଙ୍କା, ଆସବାବପତ୍ର ଓ ସ୍ଥାନାନ୍ତର ପାଇଁ ୧.୧୩ ଲକ୍ଷ ଟଙ୍କା ଏବଂ ଗୋଟିଏ ବର୍ଷର ଜୀବିକା ନିର୍ବାହ ପାଇଁ ୫୪,୩୦୦ ଟଙ୍କା ସହ ବ୍ୟବସାୟୀଙ୍କ ପାଇଁ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କେବଳ ବିମାନବନ୍ଦର ନୁହେଁ, ପୁରୀରେ ଜଳପଥରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନ୍ୟ ଏକ ଯୁଗାନ୍ତକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସିପସରୁବାଲିଠାରେ ଧାନସରୀ ନଦୀ ମୁହାଣ ନିକଟରେ ୬୦ ଏକର ଜମିରେ ୨୦୨୮ ସୁଦ୍ଧା ଏକ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ହେବାକୁ ଯାଉଛି, ଯାହା ପାଇଁ ପାରାଦ୍ୱୀପ ପୋର୍ଟ ଅଥରିଟି ଓ ଓଡ଼ିଶା ମେରାଇଟାଇମ୍ ବୋର୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବିମାନବନ୍ଦର ଏବଂ କ୍ରୁଜ୍ ଟର୍ମିନାଲ୍ ଭଳି ଦୁଇଟି ପ୍ରମୁଖ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପୁରୀରେ ବିଶ୍ୱସ୍ତରୀୟ ଯୋଗାଯୋଗ ବୃଦ୍ଧି ପାଇବା ସହ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବ। Post navigation DRDO Successfully Tests Indigenous High-Altitude Platform SIR Special Drive from October 7 to 9: ଏସଆଇଆର ପାଇଁ ୭ରୁ ୯ ତାରିଖ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ