ବିମାନ ଅବତରଣ ବେଳେ ଘଟିଲା ଅଘଟଣ, ରନୱେରେ ଜଳିଗଲା ବିମାନ

ନୂଆଦିଲ୍ଲୀ: ଜାପାନରେ ଏକ ବିମାନ ଅବତରଣ କରୁଥିବାବେଳେ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫଳରେ ବିମାନ ସଂପୂର୍ଣ୍ଣ ପୋଡ଼ିଯାଇଛି। ସୂଚନା ଅନୁଯାୟୀ, ଟୋକିଓ ଏୟାରପୋର୍ଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ତେବେ କେଉଁ କାରଣରୁ ବିମାନରେ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ, ଜାପାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହେନେଡା ବିମାନବନ୍ଦରରେ ଅବତରଣ କରିବା ପରେ ଜାପାନର ୫ ଉପକୂଳ ଗାର୍ଡ ସଦସ୍ୟଙ୍କ ମୃତ୍ୟୁ ମଧ୍ୟ ଘଟିଛି।

ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଜାପାନ ନ୍ୟୁଜ୍‌ ଏଜେନ୍ସୀ ଏନଏଚକେର ରିପୋର୍ଟ ଅନୁଯାୟୀ, ବିମାନ ଅବତରଣ ସମୟରେ ଅନ୍ୟ ବିମାନ ସହ ଧକ୍କା ହେବା କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ଘଟଣାର ଫୁଟେଜ ଜାରି କରିଛନ୍ତି। ଯେଉଁଥିରେ ବିମାନରେ ଲାଗିଥିବା ନିଆଁ କେତେ ଭୟଙ୍କର ତାହା ସ୍ପଷ୍ଟ ଜଣାପଡ଼ୁଛି। ପ୍ରଥମେ ବିମାନରେ ପଛ ଭାଗରେ ନିଆଁଲାଗିଥିବାବେଳେ ସଙ୍ଗେ ସଙ୍ଗେ ପୂରା ବିମାନଟି ନିଆଁରେ ପୋଡ଼ିଯାଇଥିଲା।

ଜାପାନିଜ୍‌ ଗଣମାଧ୍ୟମ ଅନୁଯାୟୀ, ଯେଉଁ ବିମାନରେ ନିଆଁ ଲାଗିଛି ତାହାର ନମ୍ବର ହେଉଛି JAL 516 । ଜାପାନିଜ୍‌ ଏୟାରଲାଇନ୍ସର ବିମାନ ସଂଖ୍ୟା ୫୧୬ ଜାପାନର ସ୍ଥାନୀୟ ସମୟାନୁଯାୟୀ ଅପରାହ୍ନ ୪ଟାରେ ବାହାରିଥିଲା। ଏବଂ ୫ଟା ୪୦ରେ ହାନେଡାରେ ଲ୍ୟାଣ୍ଡ୍‌ କରିବାର ଥିଲା। ଆଉ ଲ୍ୟାଣ୍ଡିଂ କରୁଥିବା ସମୟରେ ଏଥିରେ ନିଆଁଲାଗିଯାଇଥିଲା। ତେବେ ବିମାନ ବନ୍ଦରରେ ଥିବା ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଥିବାବେଳେ, ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ଜାପାନ ଟାଇମ୍ସ ଅନୁଯାୟୀ, ବିମାନରେ ଥିବା ସମୁଦାୟ ୩୭୯ ଜଣକୁ ତୁରନ୍ତ ସୁରକ୍ଷିତ ବାହାରକୁ ବାହାର କରିଦିଆଯାଇଥିଲା। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *