ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ଜୁନ ୯ ତାରିଖ ଦିନ ୧୧ଟାରୁ ସାଢେ ଗୋଟାଏ ମଧ୍ୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ଆଜି ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଏହାସହ ପାଣ୍ଡିଆନ କହିଛନ୍ତି, ଯିଏ କହିଲେ ବି ଓଡ଼ିଶାରେ କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡ଼ିଶାରେ କେହି ବନ୍ଦ କରିପାରିବେନି । ବିଜେପି କହୁଛି ସରକାରକୁ ଆସିଲେ ବିଏସକେୱାଇ ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବ। ଆୟୁଷ୍ମାନ ଯୋଜନା ଠାରୁ ବିଏସକେୱାଇ ଯୋଜନା ଭଲ ବୋଲି କହିଛନ୍ତି ପାଣ୍ଡିଆନ । ଏହାସହ ବିଭିନ୍ନ ଜନାଭିମୁଖୀ ଯୋଜନାର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କୁ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ସେମାନେ ଆୟୁଷ୍ମାନ ଭାରତ ଯୋଜନାରେ ପୁରା ଦେଶ ପାଇଁ ଭାରତ ସରକାର ଯେତିକି ଟଙ୍କା ବଜେଟ୍ ରଖିଛନ୍ତି ତା’ଠାରୁ ଅଧିକ ବିଏସକେୱାଇର ବଜେଟ । ଆୟୁଷ୍ମାନ ଭାରତେ ଓଡ଼ିଶାର ଭାଗ ମାତ୍ର ୩ଶହ କୋଟି ପଡ଼ିବ। ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସବୁ ପରିବାରକୁ ଏହି ସୁବିଧା ମିଳିଥାଏ । ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇରେ କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଯେଉଁଥିରେ ଗରିବ ଗୁରୁବାଙ୍କୁ ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ଏହି କାର୍ଡରୁ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ । ତେଣୁ ଏଥର ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

ସେ ଆଉ ମଧ୍ୟ କହିଛନ୍ତି, ବଡ ନେତା ଯେତେ କହିଲେ ବି ଆମ ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ହେବନି । ଏହା ଲୋକଙ୍କୁ ଅନେକ ସାହାଯ୍ୟ କରିଛି । ଏଥିରେ ଇନସ୍ୟୁରାନ୍ସ କମ୍ପାନୀ ଚକ୍କରରେ ଗରୀବଙ୍କୁ ପଡିବାକୁ ହେଉନି । ସିଧାସଳଖ ସେମାନଙ୍କ ଆକଉଣ୍ଟକୁ ଟଙ୍କା ଆସିବ । ଏହଛଡା ବିଏସକେୱାଇ ଏକ ଏଟିଏମ୍ କାର୍ଡ ଭଳି, ଯାହାଦ୍ୱାରା ରୋଗୀର ଚକିତ୍ସା ପାଇଁ ସିଧାସଳଖ ଆର୍ଥିକ ସହାୟତା ମିଳିବ । ବିଜେପି କହୁଛି ଗର୍ଭବତୀ ମା’ଙ୍କ ପାଇଁ ୬ ହଜାର ଟଙ୍କା ଦେବେ । ହେଲେ ରାଜ୍ୟ ସରକାର ଗର୍ଭବତୀ ମହିଳାଙ୍କ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା ରଖିଛି ।

ଏହାପରେ ବିଜେପି କହୁଥିବା ଡବଲ ଇଞ୍ଜିନ ସରକାରଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ୍ । କହିଛନ୍ତି । ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହିଁ କେବଳ ରାଜ୍ୟକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବେ । ବିଜେପି ଯେଉଁ ଡବଲ ଇଞ୍ଜିନ୍ କଥା କହୁଛି ତାହା କିଛି କାମ ଦେବନି । କାରଣ ଯେଉଁ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି ସେସବୁ ରାଜ୍ୟ ୨୦ ବର୍ଷ ତଳକୁ ଖସିଯାଇଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ଏହାର ଉଦାହରଣ । ଏସବୁ ରାଜ୍ୟରେ ଲୋକେ ଡବଲ ଇଞ୍ଜିନ ଗାଡି ଉପରେ ଭରସା କରି ତେଲ ପକାଇଥିଲେ । ହେଲେ ଦୁର୍ଭାଗ୍ୟ , ଗାଡିରୁ ଅଧାରେ ତେଲ ସରିଗଲା ଆଉ ଗାଡି ଅଟକିଗଲା ।

ବିଜେପି ଯେଉଁ ଇସ୍ତାହାର ଦେଇଛି ତାକୁ ଭଲ ଭାବେ ବୁଝିଲେ ଜାଣିପାରିବେ ସେଥିରେ ରାଜ୍ୟର ଅବସ୍ଥା କ’ଣ ହେବ । ଏଥିରେ ଯୁବଗୋଷ୍ଠୀଙ୍କ ପାଇଁ କିଛି ବି ସୁଯୋଗ ନାହିଁ । ଏଥିରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କିଛି ବିଶେଷ ସୁବିଧା ନାହିଁ । ଡବଲ ଇଞ୍ଚିନ ସରକାର ଥିବା ରାଜ୍ୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୧୫ର ୨୦ ପ୍ରତିଶତ ବୃତ୍ତି ମିଳୁଛି । ହେଲେ ଓଡିଶାରେ ନବୀନ ସରକାର ଛାତ୍ରଛାତ୍ରୀଙ୍କୁ ୯୫ ପ୍ରତିଶତ ଛାତ୍ରବୃତ୍ତି ଯୋଗାଇଛି । । ଏସବୁ କେବଳ ନବୀନ ଇଞ୍ଜିନ କରିପାରିଛି ଏବଂ ଆଗକୁ ମଧ୍ୟ ଆହୁରି କରିବ । ତେଣୁ ରାଜ୍ୟବାସୀ ମନେ ରଖିବା କଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡିଶା ୨୦ ବର୍ଷ ତଳକୁ ଚାଲିଯିବ ବୋଲି ଭି କେ ପାଣ୍ଡିଆନ୍ କହିଛନ୍ତି ।

Leave a Reply

Your email address will not be published. Required fields are marked *