ନିର୍ଭୟ ମିଡ଼ିଆ : ବ୍ରହ୍ମପୁର,

ପରିବେଶ ଭିନ୍ନ । ଭାଷଣ ବି ଭିନ୍ନ । ଆକ୍ରମଣ ମୁଦ୍ରା ବି ଭିନ୍ନ । ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ନିର୍ବାଚନୀ ସଭା ଅନେକ ଦୃଷ୍ଟିରୁ ଥିଲା ଗୁରୁତ୍ୱପୂର୍ଣ୍ଣ । ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ତାଙ୍କର ଦୁଇ ଜନସଭାଠାରୁ ବ୍ରହ୍ମପୁର ସଭା ଥିଲା ସମ୍ପୂର୍ଣ୍ଣ ଭିନ୍ନ ।

ନିଆରା ଶୈଳୀରେ ମୋଦୀ ନବୀନ ସରକାରଙ୍କୁ ଆକ୍ରମଣ ତ କଲେ କିନ୍ତୁ ଏକ ଘାତକ ତୀର ମାରିଥିଲେ ବିଜୁ ଜନତା ଦଳକୁ । ଏହାକୁ କୁହାଯାଇପାରେ ଜଗନ୍ନାଥ ଅସ୍ତ୍ର । ନବୀନ ସରକାରଙ୍କ ଜୟ ଜଗନ୍ନାଥ ସ୍ଲୋଗାନକୁ ସମ୍ପୂର୍ଣ୍ଣ ନିରସ୍ତ୍ର କରିଦେଇଗଲେ ମୋଦୀ । ଆରମ୍ଭ ଜୟ ଜଗନ୍ନାଥରୁ । ଶେଷରେ ଗଞ୍ଜାମର ଜନତାଙ୍କୁ ଜୟ ଜଗନ୍ନାଥ କହିବା ପାଇଁ ଦାୟିତ୍ୱ ଦେଇଗଲେ ଭାଜପା କର୍ମୀ ଓ କର୍ମକର୍ତ୍ତାଙ୍କୁ ।

ବିଜଦ ପରିକ୍ରମା ପ୍ରକଳ୍ପରୁ ଯେଉଁ ରାଜନୈତିକ ଫାଇଦା ପାଇବା କଥା ପାଇଲା ନାହିଁ । ଜଗନ୍ନାଥଙ୍କୁ ଅଟୋ ଡାଲାରେ ବସାଇ ଭିକ୍ଷୁକ ଭାବେ ଘୂରାଇବା ଯୋଗୁ ସବୁ ମେହେନତ ପାଣିରେ ପଡ଼ିଗଲା । ବରଂ ସେ ତୁଳନାରେ ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ଶୁଭାର୍ପଣ ଦିନ ଓଡ଼ିଶାରେ ଏକ ନୂଆ ଲହର ଖେଳିଗଲା । ସେଥିରୁ ଜଣାପଡୁଥିଲା ଯେ, ପୁରୀ ପରିକ୍ରମା ପ୍ରକଳ୍ପ ଏକ ଫ୍ଲପ ଶୋ’ରେ ପରିଣତ ହୋଇଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ଭାଷଣ ସାରିବା ପୂର୍ବରୁ ଉପସ୍ଥିତ ହଜାରହଜାର ଜନତାଙ୍କୁ ନିଜ ତରଫରୁ ଏକ ଦାୟିତ୍ୱ ଦେଇଥିଲେ । ସେମାନେ ପ୍ରତି ଘରକୁ ଯିବେ । ମୋଦୀ ଆପଣଙ୍କୁ ଜୟ ଜଗନ୍ନାଥ କହିଛନ୍ତି ବୋଲି ଜଣାଇବେ । ଏହାଦ୍ୱାରା ‘ମୋତେ ଆଶୀର୍ବାଦ ମିଳିଯିବ । ନୂଆ ଶକ୍ତି ମିଳିବ । ଆପଣମାନଙ୍କ ପାଇଁ ଅଧିକ କାମ କରିପାରିବି ।’ ଏହା କହିବାଦ୍ୱାରା ପ୍ରତି ପରିବାର ସହ ଜଗନ୍ନାଥଙ୍କୁ ନେଇ ନିଜେ ଯୋଡିହେବା ପାଇଁ ଚେଷ୍ଟାକଲେ ପ୍ରଧାନମନ୍ତ୍ରୀ । ଯେଉଁମାନେ ଅନ୍ତତଃ ଟିଭିରେ ଏହି କଥା ପଦକ ଶୁଣିଥିବେ, ସେମାନେ ମୋଦୀଙ୍କ ସହ ଯୋଡିହେବାକୁ ଯାଇ ଭାଜପା ଆଡକୁ ଆଉଜି ଯିବେ ।

ଆଉ ଗୋଟିଏ କଥା ଅତି ସ୍ପଷ୍ଟ କରିଦେଇଛନ୍ତି ମୋଦୀ । ବାରମ୍ବାର ତୁମର ସିଏମ ଫେସ୍ କିଏ ବୋଲି ପ୍ରଶ୍ନ କରୁଛି ବିଜଦ । ଆଜି ତା’ର ସୁନ୍ଦର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିଧାନସଭା ନିର୍ବାଚନ ପାଇଁ ଭାଜପାର କେହି ସିଏମ ଫେସ୍ ରହିବେ ନାହିଁ । ମୁଖ୍ୟମନ୍ତ୍ରୀ ଚେହେରା ଜୁନ ୬ ତାରିଖରେ ସ୍ଥିର କରାଯିବ । ଯିଏ ଓଡ଼ିଶାର ସଂସ୍କୃତି ପ୍ରତି ସମର୍ପିତ ସେ ହିଁ ଜୁନ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅର୍ଥାତ ଯେଉଁ ଫର୍ମୁଲା ରାଜସ୍ଥାନ, ଛତିଶଗଡ଼ରେ ଦଳ ଗ୍ରହଣ କରିଥିଲା, ସେହି ଫର୍ମୁଲା ହିଁ ଓଡ଼ିଶାରେ ଲାଗୁ କରିବାକୁ ସ୍ଥିର କରିଛନ୍ତି ଭାଜପା ହାଇକମାଣ୍ଡ । ତେଣୁ ବିଜଦ ଜାଲରେ ଭାଜପା ପଡ଼ିବାକୁ ଯାଉନାହିଁ ବୋଲି ସ୍ପଷ୍ଟ କରିଦେଲେ ପ୍ରଧାନମନ୍ତ୍ରୀ ।

 

By Nirvay

Leave a Reply

Your email address will not be published. Required fields are marked *