ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନବନିର୍ମିତ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି । ଏହି ପ୍ରତିଷ୍ଠାନ ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ସହ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ନିରାପତ୍ତା ଓ ନିର୍ଭରଯୋଗ୍ୟତା ବୃଦ୍ଧିରେ ସହାୟକ ହେବ। ଭୁବନେଶ୍ୱରର ଇନ୍ଫୋ ଭ୍ୟାଲି-୨ ଅଞ୍ଚଳରେ ୧୮.୫୫ ଏକର ଜମିରେ ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ପ୍ରତିଷ୍ଠାନ ନିର୍ମାଣ କରାଯାଇଛି । ନଭି ମୁମ୍ବାଇ ପରେ ଏହା ହେଉଛି ଆର୍ବିଆଇର ଦ୍ୱିତୀୟ ଡାଟା ସେଣ୍ଟର । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭୁବନେଶ୍ୱରରେ ଏକ ନୂତନ ପ୍ରତିଷ୍ଠାନ ଆରମ୍ଭ ହୋଇଛି । ଏହା ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଯୋଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସାମଗ୍ରିକ ବିକାଶରେ ଛୋଟ ସହରଗୁଡ଼ିକର ମଧ୍ୟ ବଡ଼ ଭୂମିକା ରହିବା ଆବଶ୍ୟକ । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ଓଡ଼ିଶା ସମେତ ସମଗ୍ର ଦେଶର ବିକାଶରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବ୍ୟାଙ୍କିଂ ବ୍ୟବସ୍ଥା ଓ ଗରିବଙ୍କ ଆର୍ଥିକ ସଶକ୍ତୀକରଣ ସମ୍ପର୍କରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ସମୟ ଧରି ଗରିବଙ୍କ ନାଁରେ ଅନେକ ପ୍ରଚାର କରାଯାଇଥିଲା । ୧୯୬୦ ଓ ୧୯୭୦ ଦଶକରେ ଗରିବଙ୍କ ହିତର ଉଦ୍ଦେଶ୍ୟ ରଖି ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା । ତଥାପି ୨୦୧୪ ପର୍ଯ୍ୟନ୍ତ ଅନେକ ଗରିବ ଲୋକ ପ୍ରକୃତ ବ୍ୟାଙ୍କିଂ ସେବାରୁ ବଞ୍ଚିତ ରହିଥିଲେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଗରିବ ଲୋକଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ମଧ୍ୟ ଗ୍ୟାରେଣ୍ଟରଙ୍କ ଆବଶ୍ୟକତା ପଡ଼ୁଥିଲା । କିନ୍ତୁ ଏବେ ଡିଜିଟାଲ୍ ବ୍ୟାଙ୍କିଂ ସେବା ଘରେ ଘରେ ପହଞ୍ଚିପାରିଛି । ଏହାଦ୍ୱାରା ଲୋକଙ୍କ ପାଇଁ ବ୍ୟାଙ୍କିଂ ସେବା ଅଧିକ ସହଜ ଓ ସୁଲଭ ହୋଇପାରିଛି । ଭୁବନେଶ୍ୱରରେ ନିର୍ମିତ ଆର୍ବିଆଇର ଏହି ନୂତନ ଡାଟା ସେଣ୍ଟର ଦେଶର ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସାଇବର ସୁରକ୍ଷା ଓ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବ । ଏହି ପ୍ରତିଷ୍ଠାନ ଓଡ଼ିଶାକୁ ଦେଶର ଆର୍ଥିକ ଓ ପ୍ରଯୁକ୍ତିଭିତ୍ତିକ ବିକାଶର ମାନଚିତ୍ରରେ ଆହୁରି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାରେ ସହାୟକ ହେବ । ଆର୍ବିଆଇର ନବନିର୍ମିତ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ଏହାସହ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଆର୍ବିଆଇ ଗଭର୍ଣ୍ଣର ନୂତନ ଡାଟା ସେଣ୍ଟରର ନିର୍ମାଣ, ଏହାର କାର୍ଯ୍ୟକାରିତା ଏବଂ ଦେଶର ଆର୍ଥିକ ଓ ଡିଜିଟାଲ୍ ଭିତ୍ତିଭୂମି ପାଇଁ ଏହାର ଗୁରୁତ୍ୱ ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ । ଏହି ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା (ବିଏଫ୍ଏସ୍ଆଇ) କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଭାବେ କାର୍ଯ୍ୟ କରିବ । ଏଠାରେ ସାଇବର ସୁରକ୍ଷା ଏବଂ ଏଣ୍ଟରପ୍ରାଇଜ୍ ଟେକ୍ନୋଲୋଜି ସମ୍ପର୍କିତ ପ୍ରଶିକ୍ଷଣ, ଗବେଷଣା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ମଧ୍ୟ ଏଠାରେ ପ୍ରଶିକ୍ଷଣ ଓ ଗବେଷଣା କରାଯିବ। ଏହା ଆର୍ଥିକ କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ଉପଯୋଗ ଏବଂ ସାଇବର ଆକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ଦକ୍ଷତା ବିକାଶରେ ସହାୟକ ହେବ । ଏହା ଦେଶର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ନିରବଚ୍ଛିନ୍ନ ପରିଚାଳନା ଓ ଆର୍ଥିକ ଭିତ୍ତିଭୂମିର ସ୍ଥିରତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । Post navigation Nirmala Sitharaman in Odisha: ଭୁବନେଶ୍ୱରରେ ପହଞ୍ଚିଲେ ନିର୍ମଳା ସୀତାରମଣ, RBI ଗ୍ରୀନଫିଲ୍ଡ ଡାଟା ସେଣ୍ଟରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଦେବେ ଯୋଗ