5 Southern Odisha Districts Placed Under Category-I
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବାତ୍ୟାର ସମ୍ଭାବ୍ୟ ଗତିପଥ ଏବଂ ଏହାର ପ୍ରଭାବକୁ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତାଙ୍କ ସୂଚନା ଅନୁଯାୟୀ, ବାତ୍ୟା ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି ।
 
ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ । ଏହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି । ଏହି ୫ଟି ଜିଲ୍ଲାକୁ କ୍ୟାଟେଗୋରୀ-୧ରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେହିପରି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ କ୍ୟାଟେଗୋରୀ-୨ରେ ରଖାଯାଇଛି ।
 
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବାତ୍ୟା ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବା ପରେ ପ୍ରବଳ ବର୍ଷା ହୋଇପାରେ । ଏହାପରେ ବାତ୍ୟା ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଛତିଶଗଡ଼ରୁ ଦିଗ ପରିବର୍ତ୍ତନ କରି ଏହା ଝାଡ଼ଖଣ୍ଡ ଆଡ଼କୁ ଯାଇପାରେ । ଛତିଶଗଡ଼ ଆଡ଼କୁ ଗତି କରିବା ସମୟରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
 
ଅନ୍ୟପକ୍ଷରେ, ଛତିଶଗଡ଼ରେ ପ୍ରବଳ ବର୍ଷା ହେଲେ ଏହାର ଜଳ ମହାନଦୀକୁ ଆସିବାର ସମ୍ଭାବନା ଥିବାରୁ ଜଳ ପରିଚାଳନା ଓ ଆବଶ୍ୟକ ସ୍ଥଳେ ଜଳ ନିଷ୍କାସନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
 
ସେହିପରି, ଝାଡ଼ଖଣ୍ଡରେ ବର୍ଷା ହେଲେ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇପାରେ । ତେଣୁ ସମ୍ଭାବ୍ୟ ବାତ୍ୟା ଓ ଏହା ପରବର୍ତ୍ତୀ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଚଳାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *