ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବବୁଲୁ ସୁନା । ପ୍ରାୟ ୨.୬୦ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ତାଙ୍କୁ ବଲାଙ୍ଗିରରୁ ଗିରଫ କରାଯାଇଛି । ଦୀର୍ଘ ୬ ମାସ ଧରି ଫେରାର ରହିବା ପରେ ଗତକାଲି ରାତିରେ ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ, ବବୁଲୁ ସୁନା MACP/RACP ଯୋଜନାରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିଥିଲେ । ଏଥିପାଇଁ ସେ ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ତଥ୍ୟ ବ୍ୟବହାର କରି ଜାଲ୍ ବିଲ୍ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ହଡ଼ପ କରାଯାଇଥିବା ଟଙ୍କାକୁ ସେ ନିଜ ପତ୍ନୀ, ଭାଇ, ଭଉଣୀ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ପଠାଉଥିବା ମଧ୍ୟ ଅଭିଯୋଗ ରହିଛି । ଘଟଣାର ତଦନ୍ତ କରୁଥିବା ଭିଜିଲାନ୍ସ ଦୀର୍ଘଦିନ ଧରି ତାଙ୍କୁ ଖୋଜୁଥିଲା । ଶେଷରେ ବଲାଙ୍ଗିରରୁ ତାଙ୍କୁ ଗିରଫ କରାଯାଇଛି । ଏହି ଅର୍ଥ ହଡ଼ପ ମାମଲାରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଟଙ୍କା କେଉଁ କେଉଁ ଖାତାକୁ ସ୍ଥାନାନ୍ତର ହୋଇଛି, ସେନେଇ ତଦନ୍ତ ଜାରି ରହିଛି । Post navigation ‘मन की बात’ के 12 साल पूरे, PM मोदी ने इस सफर को ‘तीर्थयात्रा’ बताया