Odisha Celebrates Gajalaxmi Puja and Kumar Purnima with Festive Fervour
ଚାଲିଛି ପାର୍ବଣ ଋତୁ । ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ।ଜଗତଜନନୀଙ୍କ ମା’ ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ ।
 
ଏହି ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । ସବୁଠି ଆଧ୍ୟାତ୍ମିକତାର ପରିବେଶ । ପୂର୍ଣ୍ଣ ଚନ୍ଦ୍ରର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇବେ ମା’ ଗଜଲକ୍ଷ୍ମୀ । ସନ୍ଧ୍ୟାରେ କଳସ ଯାତ୍ରା ଆରମ୍ଭ ହେବାପରେ ମା’ଙ୍କ ପୂଜା ଆରମ୍ଭ ହେବ ।
 
ସାରା ରାଜ୍ୟ ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ, ତାଳଚେର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ତୋରଣ ସାଙ୍ଗକୁ ଲାଇଟ ଗେଟ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି ।
 
ଓଡ଼ିଶାର ପରମ୍ପରା, ଲୋକସଂସ୍କୃତି ଓ ଆଧ୍ୟାତ୍ମିକ ବିଶ୍ୱାସର ଅନ୍ୟତମ ପ୍ରତୀକ ହେଉଛି କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାର ଅନ୍ୟତମ ଆକର୍ଷଣ ହେଉଛି ଜହ୍ନି ଓଷା । ଭାଦ୍ରବ ପୂର୍ଣ୍ଣିମାଠାରୁ ଯୁବତୀମାନେ ତୁଳସୀ ଚଉରା ନିକଟରେ ଏକାଠି ହୋଇ ପୂଜାର୍ଚ୍ଚନା କରିବା ସହ ଜହ୍ନି ଫୁଲ ଅର୍ପଣ କରନ୍ତି । ଜହ୍ନି ଓଷା ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବେଶ୍ ପ୍ରସିଦ୍ଧ ।
 
ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, ଗୁଡ଼ ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଅବିକଳ ଚନ୍ଦ୍ରଙ୍କ ଭଳି କରାଯାଇଥାଏ ।
 
କୁମାର ପୂର୍ଣ୍ଣିମା ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଜୁଳି ଟେକି ସୂର୍ୟ୍ୟଙ୍କୁ ପ୍ରଣାମ କରନ୍ତି । ସନ୍ଧ୍ୟା ବେଳେ ଜହ୍ନ ଉଇଁଲେ ଚଉଁରା ମୂଳରେ ବନ୍ଦାପନା କରି ପୂଜା ଶେଷ ହେବାପରେ ଚାନ୍ଦ ଭୋଗ ଖାଆନ୍ତି ।
 
ଏହି ଦିନ, କ୍ଷୀରିକୁ ରାତିସାରା ଖୋଲା ଆକାଶ ତଳେ ଚନ୍ଦ୍ର କିରଣରେ ରଖାଯାଏ ଏବଂ ତା’ପରଦିନ ସକାଳେ ସେବନ କରାଯାଏ । ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ରାତିରେ ଚନ୍ଦ୍ରର କିରଣରୁ ଅମୃତ ବର୍ଷା ହୋଇଥାଏ । ତେଣୁ ଯେତେବେଳେ ଚନ୍ଦ୍ର ଆଲୋକ କ୍ଷୀରି ଉପରେ ପଡେ, ସେହି କ୍ଷୀରି ଅମୃତ ସମାନ ଗୁଣରେ ପରିଣତ ହୁଏ ।
 
 

By Nirvay

Leave a Reply

Your email address will not be published. Required fields are marked *