ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ସତର୍କତା ବଢ଼ିଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକ୍ଟୋବର ୨୮ ତାରିଖରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ନିକଟରେ ସ୍ଥଳଭାଗ ଛୁଇଁପାରେ । ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବା ସହ ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିପାରେ । ଆସନ୍ତାକାଲି ସକାଳେ ଏହା ବାତ୍ୟାର ରୂପ ନେବା ସହ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ହେବାର ଆଶଙ୍କା ରହିଛି । ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ । ଏହାକୁ ନଜରରେ ରଖି ଉପକୂଳବର୍ତ୍ତୀ ଓ ଅନ୍ୟ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସତର୍କତା ଅବଲମ୍ବନ କରାଯାଉଛି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ସ୍ୱରୂପ ୫ଟି ଜିଲ୍ଲାରେ ଦୁଇ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ସୁରକ୍ଷାମୂଳକ କଟକଣା ଜାରି କରାଯାଇଛି । ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ନୌକା ଓ ପର୍ଯ୍ୟଟନ ଡଙ୍ଗା ଚଳାଚଳ ବନ୍ଦ ରହିବ । ନଦୀ, ହ୍ରଦ ଓ ଅନ୍ୟ ଜଳାଶୟରେ ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଯାଇଛି । ନଦୀଘାଟ ଓ ଜଳାଶୟଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦିଆଯାଇଛି। ବାତ୍ୟା ଓ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ୍ ଦଳ, ୧୭ଟି ଏନ୍ଡିଆର୍ଏଫ୍ ଦଳ ଏବଂ ୨୨୫ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ ରଖାଯାଇଛି । ଜରୁରି ପରିସ୍ଥିତିରେ ଏହି ଦଳଗୁଡ଼ିକ ଉଦ୍ଧାର କାର୍ଯ୍ୟ କରିବା, ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ। ଏଥିସହ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍, ପାନୀୟ ଜଳ ଓ ଅନ୍ୟ ଜରୁରି ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ସତର୍କତା ବଢ଼ିଥିବା ବେଳେ ଲୋକଙ୍କୁ ପ୍ରଶାସନର ନିର୍ଦ୍ଦେଶ ମାନିବା, ଅନାବଶ୍ୟକ ଭାବେ ଜଳାଶୟ ନିକଟକୁ ନଯିବା ଏବଂ ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି । Post navigation Cyclone Alert: ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଆଶଙ୍କା: ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ Kotia Border Face-Off: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ, ଉତ୍ତେଜନା ପରେ ଫେରିଗଲା ଆନ୍ଧ୍ର ପୋଲିସ