ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷା ଚେତାବନୀକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ସୁରକ୍ଷାମୂଳକ ପଦକ୍ଷେପ ସ୍ୱରୂପ ଡ୍ୟାମ୍ କର୍ତ୍ତୃପକ୍ଷ ଜଳଭଣ୍ଡାରର ୩ ନମ୍ବର ଏବଂ ୬ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରୁଛନ୍ତି, ଯାହାଫଳରେ ବର୍ତ୍ତମାନ ୧୩୩ କ୍ୟୁସେକ୍ ଜଳ ନିଷ୍କାସିତ ହେବାରେ ଲାଗିଛି।

ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୪୦.୯ ମିଟରରେ ପହଞ୍ଚିସାରିଛି। ଆଗକୁ ପ୍ରବଳ ବର୍ଷା ହେଲେ ଉପରମୁଣ୍ଡରୁ ଅଧିକ ଜଳ ପ୍ରବେଶ କରିବା ଆଶଙ୍କା ରହିଥିବାରୁ, ଜଳଭଣ୍ଡାରର ସୁରକ୍ଷା ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ଆଗୁଆ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଡ୍ୟାମର ଗେଟ୍ ଖୋଲାଯିବା ପରେ ଇନ୍ଦ୍ରାବତୀ ନଦୀର ତଳିଆ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ସୂଚନା ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *