ନିର୍ଭୟ ମିଡ଼ିଆ: ବିଜୁ ଜନତା ଦଳ ଯେଉଁସବୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ସେସବୁ ପ୍ରାର୍ଥୀଙ୍କ ସକାଶେ ଦଳୀୟ ପ୍ରଚାରପତ୍ର ପଠାଗଲାଣି । କିନ୍ତୁ ଏହି ପ୍ରଚାରପତ୍ରକୁ ଭିନ୍ନ ଧରଣର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପୋଷ୍ଟରରେ କୌଣସିଠାରେ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଫଟୋ ନାହିଁ ।

କେତେକ ପୋଷ୍ଟରରେ ବିଜୁବାବୁଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ଗତ କିଛିବର୍ଷ ହେଲା ବିଜଦ ପୋଷ୍ଟର ଏବଂ ହୋର୍ଡିଂରୁ ବିଜୁବାବୁ ଉଭାନ ହୋଇଯାଇଥିଲେ । କଦବା କେମିତି କୋଣରେ ଥିଲେ । ପରବର୍ତ୍ତୀ କାଳରେ ଧୀରେଧୀରେ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଶାସକ ଦଳ ପ୍ରଚାରର ମୁଖ୍ୟବିନ୍ଦୁ ବନାଇଥିଲା । ଏପରିକି ଡିସେମ୍ବର ଏବଂ ଜାନୁଆରୀ ମାସରେ ନେତାମାନେ ଯେଉଁ ନୂଆବର୍ଷର ଶୁଭେଚ୍ଛା ପୋଷ୍ଟର ଏବଂ ହୋର୍ଡିଂ ଲଗାଇଥିଲେ, ସେଥିରେ ନବୀନ ବାବୁଙ୍କ ଅପେକ୍ଷା ପାଣ୍ଡିଆନ ଙ୍କ ଫଟୋ ବଡ଼ ଏବଂ ମୁଖ୍ୟ ଆକର୍ଷଣ ଥିଲା । ଅନେକ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଫଟୋ ମଧ୍ୟ ଦେଇ ନଥିଲେ ।

ଗତ ବର୍ଷେ ହେଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ତକ୍ରାଳୀନ ସଚିବ ଭିକେ ପାଣ୍ଡିଆନ ସବୁ ଜିଲା ଗସ୍ତ କରୁଥିଲେ । ଏହି ଗସ୍ତବେଳେ ମଞ୍ଚରେ କୌଣସି ଜନ ପ୍ରତିନିଧିଙ୍କୁ ସ୍ଥାନ ମିଳୁ ନଥିଲା । ସେ ଜନଶୁଣାଣି ନାମରେ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରୁଥିଲେ । ଏବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଲା । ପରବର୍ତ୍ତୀ ସମୟରେ ବିବାଦ ଉପୁଜିବାରୁ ପାଣ୍ଡିଆନଙ୍କୁ ସିଏମ୍‌ଓ ବୋଲି କୁହାଗଲା ।

ପ୍ରତି ସରକାରୀ କାର୍ଯ୍ୟକ୍ରମରେ କେବଳ ଦୃଶ୍ୟମାନ ହେଉଥିଲେ ପାଣ୍ଡିଆନ । ଏପରିକି ଭାଜପା ସହ ମେଣ୍ଟ କଥାବାର୍ତ୍ତାରେ ସେ ମଧ୍ୟ ପ୍ରମୁଖ ଭୂମିକା ନେଇଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କର ସାକ୍ଷାତକାର ନେଉଥିଲେ ଜାତୀୟ ଗଣମାଧ୍ୟମର ସାମ୍ବାଦିକମାନେ । ଏପରିକି ଏଏନ୍‌ଆଇର ସ୍ମିତା ପ୍ରକାଶ ଏବଂ ଇଣ୍ଡିଆ ଟୁଡେ’ର ଚେଙ୍ଗାପ୍ପା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଦଳରେ ପାଣ୍ଡିଆନଙ୍କ ସାକ୍ଷାତକାର ନେଇଥିଲେ । ଦଳ ସମ୍ପର୍କରେ, ନିର୍ବାଚନ ଓ ଅନ୍ୟ ବାବଦରେ ସେ ହିଁ କହୁଥିଲେ । ନିଉଜ଼-୧୮ କନ୍‌କ୍ଲେଭ୍‌ରେ ସେ ହିଁ ପ୍ରତିନିଧିତ୍ୱ କରିଥିଲେ ବିଜୁ ଜନତା ଦଳର । ଯେଉଁ ସାକ୍ଷାତକାର ବଡ଼ ବିବାଦ ସୃଷ୍ଟି କରିଥିଲା ଏବଂ ଏହି କାରଣରୁ ସମ୍ଭାବ୍ୟ ମେଣ୍ଟ ଭାଙ୍ଗି ଯାଇଥିଲା ।

ତେଣୁ ସମସ୍ତେ ଧରି ନେଇଥିଲେ ଯେ, ଆସନ୍ତା ନିର୍ବାଚନରେ ସେ ହିଁ ହେବେ ତାରକା ପ୍ରଚାରକ । ଦଳୀୟ ହୋର୍ଡିଂ ଭଳି ନିର୍ବାଚନୀ ପୋଷ୍ଟରରେ ନବୀନଙ୍କ ସହ ସେ ହିଁ ସ୍ଥାନ ପାଇବେ । କିନ୍ତୁ ଯେଉଁସବୁ ପୋଷ୍ଟର ପଠାଯାଇଛି ସେଥିରେ ପାଣ୍ଡିଆନ ନାହାନ୍ତି । ମନୋନୀତ ପ୍ରାର୍ଥୀମାନଙ୍କୁ ନବୀନଙ୍କ ସିପାହୀ ବୋଲି କୁହାଯାଉଛି । କେତେକ ପୋଷ୍ଟରରେ ଓଡ଼ିଶା ମାନଚିତ୍ର ଭିତରେ ନବୀନ ବାବୁ ଏବଂ ବିଜୁବାବୁଙ୍କ ଫଟୋ ସ୍ଥାନ ପାଇଛି । ଏହି ପରିବର୍ତ୍ତନର କାରଣ କ’ଣ ହୋଇପାରେ?

ଯେଉଁ ନବୀନ ଓଡ଼ିଶାର ଲୋଗୋକୁ ନେଇ ତୁମ୍ବିତୋଫାନ ହୋଇଥିଲା, ସେହି ଲୋଗୋ ପ୍ରାର୍ଥୀଙ୍କ ପ୍ରଚାରପତ୍ରରେ ସ୍ଥାନ ପାଇଛି । କହିବା ବାହୁଲ୍ୟ ଯେ, ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଉଛନ୍ତି ନିଜେ ପାଣ୍ଡିଆନ । ଅନୁମାନ କରାଯାଉଛି ଯେ, ଲୋକଙ୍କ ଭିତରେ ପାଣ୍ଡିଆନଙ୍କ ଗ୍ରହଣୀୟତା ସୃଷ୍ଟି ହୋଇନାହିଁ । ବରଂ ତାଙ୍କ ଯୋଗୁ ବିଜୁ ଜନତା ଦଳ ଉପରେ ନିର୍ବାଚନରେ ଭୋଟରଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଂକା ପ୍ରକାଶ ପାଇଛି । ଯେଉଁକାରଣରୁ ପରିବର୍ତ୍ତିତ ରଣକୌଶଳ ସ୍ୱରୂପ ପୋଷ୍ଟରରୁ ଉଭାନ ହୋଇଯାଇଛନ୍ତି ପାଣ୍ଡିଆନ । ପ୍ରତିବଦଳରେ ନବୀନଙ୍କ ଉପରେ ଆସ୍ଥାଭାଜନ କରିଛି ବିଜୁ ଜନତା ଦଳ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *