ଓଡ଼ିଶା ରାଜନୀତିରେ ଏକ ବଡ଼ ହଲଚଲ ସୃଷ୍ଟି ହୋଇଛି।ବିଜେଡିର ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆସନ୍ତା ୨୦୨୯ ନିର୍ବାଚନ ନଲଢ଼ିବାକୁ ଘୋଷଣା କରିଛନ୍ତି। ରାଉରକେଲାଠାରେ ଆୟୋଜିତ ଏକ ମଦ ବିରୋଧୀ ଆନ୍ଦୋଳନରେ ଯୋଗଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି, ଯାହା ସ୍ଥାନୀୟ ରାଜନୈତିକ ମହଲକୁ ସରଗରମ କରିଦେଇଛି।

ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବୟସାଧିକ୍ୟ ଯୋଗୁଁ ସେ ନିର୍ବାଚନ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ସାରଦା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ରାଉରକେଲାବାସୀ ତାଙ୍କୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ କରି ଯେଉଁ ଭଲପାଇବା ଦେଇଛନ୍ତି, ତାହାର ଋଣ ସେ କେବେ ବି ଶୁଝିପାରିବେ ନାହିଁ। ତେବେ ନିର୍ବାଚନ ନଲଢ଼ିଲେ ମଧ୍ୟ ସେ ରାଉରକେଲାବାସୀଙ୍କଠାରୁ ଦୂରେଇ ଯିବେ ନାହିଁ ଏବଂ ଜୀବନ ଥିବା ପର୍ଯ୍ୟନ୍ତ ଲୋକଙ୍କ ସେବା ଜାରି ରଖିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଦଳରେ ନୂତନ ନେତୃତ୍ୱ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇ ବିଧାୟକ କହିଛନ୍ତି ଯେ, ଦଳରେ ଅନେକ ଦକ୍ଷ ଓ ପ୍ରଭାବଶାଳୀ ଯୁବକ ଏବଂ ମହିଳା ଅଛନ୍ତି, ଯେଉଁମାନଙ୍କୁ ଆଗକୁ ଆସିବାର ସୁଯୋଗ ମିଳିବା ଆବଶ୍ୟକ। ବିଶେଷ କରି ଆଗାମୀ ଦିନରେ ରାଉରକେଲାରୁ ତାଙ୍କ ଦଳର ଜଣେ ମହିଳା ବିଧାୟକ ହେଲେ ସେ ଅତ୍ୟନ୍ତ ଖୁସି ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି ନିଷ୍ପତ୍ତି ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଏଥିରେ ଦଳର କୌଣସି ଭୂମିକା ନାହିଁ; ଆବଶ୍ୟକ ହେଲେ ସେ ଦଳୀୟ ନେତୃତ୍ୱଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି।

​ନିଜେ ପ୍ରାର୍ଥୀ ନହେଲେ ମଧ୍ୟ ୨୦୨୯ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି କିପରି ଅଧିକରୁ ଅଧିକ ଆସନରେ ବିଜୟ ହାସଲ କରିବ, ସେଥିପାଇଁ ସେ ପ୍ରମୁଖ ଭୂମିକା ନିଭାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *