ଗ୍ରାମୀଣ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ଅଧିକ ସୁଦୃଢ଼ କରିବା ସହ ଡିଡିୟୁ-ଜିକେୱାଇ ୨.୦ର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ବରର ତାଜ ଭିଭନ୍ତାଠାରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରୁ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍) ପକ୍ଷରୁ ଆୟୋଜିତ ଏହି ଶିବିରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ (ଏମ୍ଓଆର୍‌ଡି), ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି), ନାବାର୍ଡ କନ୍‌ସାଲ୍ଟାନ୍ସି ସର୍ଭିସେସ୍ (ନାବକନ୍ସ), ଜାତୀୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏନ୍.ଆଇ.ଆର୍.ଡି.ପି.ଆର୍) ଏବଂ ବୈଷୟିକ ସହାୟତା ସଂସ୍ଥା (ଟିଏସ୍ଏ) ଗ୍ରାଣ୍ଡ ଅର୍ଜୁନ ଭାରତ ଏଲ୍‌ଏସ୍ଏଲ୍‌ପିର ବରିଷ୍ଠ ଅଧୁକାରୀମାନେ ଯୋଗ ଦେଇଥିଲେ। ଏଥିସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (ପିଆଇଏ)ର ପ୍ରତିନିଧି, ବୈଷୟିକ ବିଶେଷଜ୍ଞ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଜନା ସହ ଜଡ଼ିତ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ପାଇଁ ଦକ୍ଷତା ବିକାଶ ଓ ନିଯୁକ୍ତି ସୃଷ୍ଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାର ଯୁବଶକ୍ତି ହେଉଛନ୍ତି ରାଜ୍ୟର ସବୁଠାରୁ ବଡ଼ ସମ୍ପଦ। ତେଣୁ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କୁ ଶିଳ୍ପ ଓ ବଜାରର ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳ, କେବିକେ, ଆକାଂକ୍ଷୀ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଯୁବକଯୁବତୀଙ୍କ ମଧ୍ୟରେ ରହିଥ‌ିବା ଅପାର ସମ୍ଭାବନାକୁ ଉପଯୋଗ କରିବା ସହ ଅର୍ଥନୀତିର ବିଭିନ୍ନ ଅଭିବୃଦ୍ଧିଶୀଳ କ୍ଷେତ୍ରରେ ଉପଲବ୍ଧ ନିଯୁକ୍ତି ସୁଯୋଗର ଲାଭ ଉଠାଇବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଓରମାସ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ କହିଥିଲେ ଯେ, ଡିଡିୟୁ-ଜିକେୱାଇ ମାଧ୍ୟମରେ ଗ୍ରାମୀଣ ଯୁବକଯୁବତୀଙ୍କ ଜୀବିକା ସୁଦୃଢ଼ କରିବା ସହ ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଓରମାସ୍ ପ୍ରତିବଦ୍ଧ । ଏହି ଯୋଜନା ଆରମ୍ଭରୁ ଏଯାବତ୍ ରାଜ୍ୟରେ ପ୍ରାୟ ୨.୧୦ ଲକ୍ଷ ଗ୍ରାମୀଣ ଯୁବକଯୁବତୀ ପ୍ରଶିକ୍ଷଣ ପାଇଥିବା ବେଳେ ୧.୨୩ ଲକ୍ଷରୁ ଅଧିକ ପ୍ରାର୍ଥୀ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ୨୦୨୫-୨୦୨୮ ମଧ୍ୟରେ ଓଡ଼ିଶାକୁ ୬୨,୦୫୦ ଗ୍ରାମୀଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେବାର ଦାୟିତ ଦିଆଯାଇଥିବା ବେଳେ ଏଥିପାଇଁ ପ୍ରାୟ ୭୫୦ କୋଟି ଟଙ୍କାର ବ୍ୟୟବରାଦ ଅନୁମୋଦିତ ହୋଇଛି। ଏହି ଯୋଜନାରେ ଇତିମଧ୍ୟରେ ୧୧୫ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରଶିକ୍ଷଣର ଗୁଣାତ୍ମକ ମାନ, ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟକାରିତା ଏବଂ ଯୁବକଯୁବତୀଙ୍କୁ ଉପଯୁକ୍ତ ନିଯୁକ୍ତି ପ୍ରଦାନ ଉପରେ ଏବେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଏନ୍‌ଆଇସି, ନାବକନ୍ସ ଓ ଏନ୍‌ଆଇଆର୍‌ଡିପିଆର୍‌ର ପ୍ରତିନିଧ ଏବଂ ଡିଡିୟୁ-ଜିକେୱାଇଁର କାର୍ଯ୍ୟକାରିତା ଓ ତଦାରଖ ସହ ଜଡ଼ିତ ଓରମାସ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଅନୁଷ୍ଠାନର ଉପସ୍ଥିତ ବିଶେଷଜ୍ଞମାନେ ଡିଡିୟୁ -ଜିକେୱାଇ ୨.୦ର ନିର୍ଦ୍ଦେଶାବଳୀ, ୟୁନିଫାଏଡ୍ ଆଇଟି ପ୍ଲାଟଫର୍ମ, ପ୍ରକଳ୍ପ ପରିଚାଳନା, ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ପାଇଁ ସାମିଲି କରିବା, ନିଯୁକ୍ତି ପରବର୍ତ୍ତୀ ଅନୁଧ୍ୟାନ, ଆର୍ଥକ ପ୍ରକ୍ରିୟା ଏବଂ ତଦାରଖ ବ୍ୟବସ୍ଥା ଆଦି ବିଷୟରେ ବୈଷୟିକ ଅଧିବେଶନ ପରିଚାଳନା କରିବେ।

ଏହି ପ୍ରଶିକ୍ଷଣ ଶିବିର ରାଜ୍ୟରେ ଡିଡିୟୁ-ଜିକେୱାଇ ୨.୦ର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସମ୍ପୃକ୍ତ ସଂସ୍ଥା ଓ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ଗ୍ରାମୀଣ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ଅଧିକ  ସୁଦୃଢ଼ କରିବାରେ ସହାୟକ ହେବା ।

Leave a Reply

Your email address will not be published. Required fields are marked *