ନିର୍ଭୟ ମିଡିଆ, ନୂଆଦିଲ୍ଲୀ: ବିଜୁ ଜନତା ଦଳ ନେତା ଭିକେ ପାଣ୍ଡିଆନ କହିଲେ, ଉପରେ ଆଲୋଚନା ହୋଇଛି । ବୃହତ୍ତର କାରଣ ଲାଗି ମୋଦୀ ଓ ନବୀନ ନିକଟତର ହୋଇଛନ୍ତି । ଭାଜପା ଚାଣକ୍ୟ ଅମିତ ଶାହା ଓଡ଼ିଶାରେ ମେଣ୍ଟ ବ୍ୟାପାରରେ ମୋଦୀ ଏବଂ ଅଧ୍ୟକ୍ଷ ନଡ୍ଡା ନିଷ୍ପତ୍ତି ନେବେ ବୋଲି କହିଆସୁଛନ୍ତି । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୋଟିଏ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ବିଚାରବିମର୍ଶ ଚଳାଇଛନ୍ତି । ଭାଜପା ନେତାମାନେ ଦିଲ୍ଲୀରେ ଆଲୋଚନା ପରେ ଆଲୋଚନା କରୁଛନ୍ତି । ତେବେ କାହିଁକି ମେଣ୍ଟ ବାବଦରେ ମିଳୁନାହିଁ ସ୍ପଷ୍ଟ ଚିତ୍ର? ହେବ ନା ହେବନି? କେଁ ଅଟକିଛି କେଉଁଠି?

ଗୋଟିଏ ବିଶେଷ ବିନ୍ଦୁରେ ଅଟକି ଯାଇଛି ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି । ବଡ଼ ବିଚିତ୍ର ପରିସ୍ଥିତିରେ ବିଜଦ-ଭାଜପା ରାଜନୀତି । ଏହା ରୋଚକ ମଧ୍ୟ । ରାଜ୍ୟ ଭାଜପାର ନେତାମାନେ ମେଣ୍ଟ ଚାହାନ୍ତି ନାହିଁ । ସଭାପତିଙ୍କଠାରୁ ଆରମ୍ଭ କରି ସବୁ ବଡ଼ ନେତା ମେଣ୍ଟ ବିରୋଧୀ । କିନ୍ତୁ ହାଇକମାଣ୍ଡ ଚାହାଁନ୍ତି । କେଉଁ ବୃହତ୍ତର କାରଣ ପାଇଁ ନବୀନ ପଟନାୟକଙ୍କ ସହ ବୁଝାମଣା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଚ୍ଛୁକ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବୃହତ୍ତର କାରଣ ଅଛି ବୋଲି ସ୍ୱୀକାର କରିଛନ୍ତି ବିଜଦର ଶକ୍ତିଶାଳୀ ନେତା ପାଣ୍ଡିଆନ  ।

ବିଜୁ ଜନତା ଦଳରେ ସ୍ଥିତି ଆହୁରି ଗମ୍ଭୀର । କେବଳ ନବୀନ ଏବଂ ପାଣ୍ଡିଆନଙ୍କୁ ଛାଡ଼ି ମେଣ୍ଟ ସପକ୍ଷରେ କେହି ନାହାନ୍ତି । କିନ୍ତୁ ପାଣ୍ଡିଆନଙ୍କୁ ବିରୋଧ କରିବା ସାହସ ଦଳର ନେତାମାନଙ୍କର ନାହିଁ । ଏକ କ୍ଳୀବତ୍ୱ ପରିବେଶ । କିନ୍ତୁ କେଉଁ ବୃହତ୍ତର ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଜପା ସହ ମେଣ୍ଟ କରିବାକୁ ନବୀନ ଆଗ୍ରହୀ, ତାହା ମଧ୍ୟ ତାଙ୍କ ଦଳର ନେତାମାନେ ମଧ୍ୟ ଜାଣିନାହାନ୍ତି ।

ଯଦି ବୃହତ୍ତର କାରଣ ପାଇଁ ମୋଦୀ ଏବଂ ନବୀନ ଏତେ ନିକଟତର, ତେବେ ମେଣ୍ଟ ନିଷ୍ପତ୍ତିରେ ବିଳମ୍ବ ଘଟୁଛି କାହିଁକି? କାରଣ ଅଛି । ନବୀନ ଏବଂ ପାଣ୍ଡିଆନ ଆସନ ବୁଝାମଣା ବା ସିଟ୍‌ ସେୟାରିଂ ପାଇଁ ଆଗ୍ରହୀ । ଲୋକସଭାରେ ଭାଜପାକୁ ଅଧିକ ଆସନ । ବିଧାନସଭାରେ ବିଜଦକୁ ୧୦୦ରୁ ଅଧିକ ଆସନ । ଏହି ଫର୍ମୁଲାରେ ନବୀନ ଏବଂ ପାନ୍ଦିଆନ ଭାଜପା ସହ ମେଣ୍ଟ କରିବାକୁ ସହମତ । କିନ୍ତୁ କ୍ଷମତା ବୁଝାମଣା କରିବାକୁ ରାଜି ନୁହନ୍ତି ସେମାନେ ।

ଯଦି ଭାଜପା କ୍ଷମତାରେ ଅଂଶୀଦାର ହୁଏ, ତେବେ ପାଣ୍ଡିଆନଙ୍କ ମନମାନି ଚାଲିବ କି? ନବୀନ ସରକାରରେ ଭାଜପା ମନ୍ତ୍ରୀମାନେ କାହିଁକି ପାଣ୍ଡିଆନଙ୍କୁ ଜୀ-ହାଁ କହିବେ? ଅଫିସରମାନଙ୍କୁ କାହିଁକି ଖାତିର କରିବେ? ଏକ ବିଷମ ପରିସ୍ଥିତି ସୃଷ୍ଟି ହେବ । ତେଣୁ କୌଣସି ପରିସ୍ଥିତିରେ ପାନ୍ଦିଆନ ନିଜ କ୍ଷମତା ସଂକୁଚିତ କରିବାକୁ ରାଜି ନୁହନ୍ତି । ଏବେ ଦଳ ଏବଂ ସରକାର ତାଙ୍କ ହାତମୁଠାରେ । ଭାଜପା ଯଦି ମେଣ୍ଟ ସରକାରରେ ସାମିଲ ହୁଏ, ଦଳ ରହିପାରେ ତାଙ୍କ ହାତମୁଠାରେ, ମାତ୍ର ସରକାର ଆଉ ରହିବ ନାହିଁ । ଏହା ବିଜଦକୁ ପ୍ରଭାବିତ କରିବାର ଆଶଙ୍କା ଅଛି ।

ସେଥିପାଇଁ ନିଉଜ-୧୮ କନ୍‌କ୍ଲେଭ୍‌ରେ ପାଣ୍ଡିଆନ ଚତୁରତାର ସହ କହିଥିଲେ ଯେ ଆମ ସହଯୋଗ ବିନା କେନ୍ଦ୍ରରେ ମୋଦୀ ସରକାର ଗଢ଼ାହୋଇ ପାରିବ । ଭାଜପାର ବିନା ସହଯୋଗରେ ଓଡ଼ିଶାରେ ନବୀନ ସରକାର ଗଢ଼ିପାରିବେ । କେହି କାହା ଉପରେ ନିର୍ଭରଶୀଳ ନୁହନ୍ତି ।

Pandianଙ୍କ ଇସାରା ଚାଣକ୍ୟ ଶାହା ଅବଶ୍ୟ ବୁଝିଥିବେ । କିନ୍ତୁ ସେ ଚାହାନ୍ତି ମେଣ୍ଟ ଅର୍ଥ କ୍ଷମତା ଭାଗିଦାରୀ । ମୋଦୀ ସରକାରରେ ଭାଜପା ସଂଖ୍ୟାଗରିଷ୍ଠ ହେଲେ ସୁଦ୍ଧା ଅଂଶୀଦାର ଦଳଗୁଡ଼ିକ ସାମିଲ ହେବେ । ଠିକ ସେହିପରି ନବୀନ ସରକାରରେ ନିର୍ବାଚନ ପୂର୍ବ ମେଣ୍ଟ ଯୋଗୁ ଭାଜପା ମଧ୍ୟ ସାମିଲ ହେବ । ଏହି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ଅଟକିଛି ମେଣ୍ଟ ନିଷ୍ପତ୍ତି । ବଲ ନବୀନ ବା ପାନ୍ଦିଆନଙ୍କ କୋର୍ଟରେ । କ୍ଷମତା ଭାଗ କରିବା ପାଇଁ ସେମାନେ ରାଜି ହେବା ମାତ୍ରେ ନବୀନଙ୍କୁ ଏନ୍‌ଡିଏରେ ନିଆଯିବ । ଓଡ଼ିଶାରେ ଶାସକ ଦଳ ସହ ମୁଖ୍ୟ ବିରୋଧୀ ଦଳ ମେଣ୍ଟ କରିବ ।

By Nirvay

Leave a Reply

Your email address will not be published. Required fields are marked *