ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ କାର୍ଯ୍ୟ କରିବା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକରେ ପୋଲିସ ପ୍ରଶାସନକୁ କେତେକ ବାସ୍ତବବାଦୀ ପରାମର୍ଶ ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ପୋଲିସ ମହାନିର୍ଦ୍ଦେଶକ ୱାଈ. ବି. ଖୁରାନିଆଙ୍କ ସହିତ ସେହି ନିର୍ଦ୍ଦେଶ ଗୁଡ଼ିକର ଅନୁପାଳନ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ । ତେଣୁ ପୋଲିସ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । Post navigation बिजली कटौती पर सफाई नहीं, समाधान चाहिए