ଆଜି ରାଜ୍ୟ କ୍ୟାବିନେଟରେ ୪୩ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ରାଜ୍ୟର ବିକାଶ ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥି ମଧ୍ୟରୁ ଶିକ୍ଷା ସହିତ ସମ୍ପର୍କିତ ଗୋଟିଏ ଯୁଗାନ୍ତକାରୀ ନିଷ୍ପତ୍ତି ସମ୍ପର୍କରେ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ହେଉଛି ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି। ଏହି ଯୋଜନାରେ କେ.ଜି ରୁ ପି.ଜି ପର୍ଯ୍ୟନ୍ତ ଓଡିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ବିଷୟରେ ମୁଁ ପୂର୍ବରୁ ଘୋଷଣା କରିଥିଲି। ଆଜି କ୍ୟାବିନେଟ ଏ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରାଜ୍ୟର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। କିମ୍ବା ପାଠପଢା ମଝିରୁ ପାଠ ଛାଡିବେ ନାହିଁ। ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଅଧିକ ସହଜଲଭ୍ୟ, ସମାନତା ଭିତ୍ତିକ ଏବଂ ସୁଲଭ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନା ଅଧୀନରେ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ବା ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ। ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ ଏହା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିୟମିତ ଭାବେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ କିଣ୍ଡରଗାର୍ଟେନ୍ ବା କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିବାରୁ, ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନର ସ୍ୱପ୍ନକୁ ସାକାର କରିବ। ଆର୍ଥିକ ଅଭାବ ଅନାଟନ ଯୋଗୁଁ ଯେପରି କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଛି। ପରିବାର, ବିଶେଷ କରି ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ପଛୁଆ ବର୍ଗର ପରିବାରଗୁଡ଼ିକ ଉପରୁ ଆର୍ଥିକ ବୋଝ ହ୍ରାସ କରି ଏହି ଯୋଜନା ନାମଲେଖା ବୃଦ୍ଧି କରିବ। ସ୍କୁଲ୍ ଓ କଲେଜର ଉପସ୍ଥାନରେ ସୁଧାର ଆସିବ, ପାଠପଢ଼ା ଅଧାରୁ ଛାଡ଼ିବା ହାର ହ୍ରାସ ହେବ ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିନା କୌଣସି ବାଧାରେ ଉଚ୍ଚଶିକ୍ଷା ଜାରି ରଖିବାରେ ସକ୍ଷମ ହେବେ। ଏହି ଯୋଜନାର ଲାଭ କେବଳ ଯୋଗ୍ୟ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ଦ୍ୱାରା ପରିଚାଳିତ ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ହିଁ ମିଳିବ। ସେଲ୍ଫ-ଫାଇନାନ୍ସିଙ୍ଗ୍ ପାଠ୍ୟକ୍ରମ କିମ୍ବା ଅନୁଷ୍ଠାନ, ବେସରକାରୀ ଅଣ-ଅନୁଦାନପ୍ରାପ୍ତ ଅନୁଷ୍ଠାନ, ପିପିପି ମୋଡ୍ର ଅନୁଷ୍ଠାନ ଓ ପାଠ୍ୟକ୍ରମ, ଏବଂ ବୃତ୍ତିଗତ ଓ ବୈଷୟିକ କାର୍ଯ୍ୟକ୍ରମଗୁଡ଼ିକୁ ଏହି ଯୋଜନାର ପରିସରଭୁକ୍ତ କରାଯାଇ ନାହିଁ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବହୁ ବର୍ଷ ଧରି ଆମର ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ଦିଗରେ ଏହି ଯୋଜନା ଏକ ଫଳପ୍ରଦ ଭୂମିକା ଗ୍ରହଣ କରିବ। ଶିକ୍ଷାକୁ ସାମଗ୍ରିକ ଏବଂ ସ୍ଥାୟୀ ବିକାଶର ଭିତ୍ତି ଭାବେ ଗ୍ରହଣ କରି, ଓଡ଼ିଶା କ୍ୟାବିନେଟ୍ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫,୪୬୭.୫୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ୍ତମ ପୁଞ୍ଜିନିବେଶ ମଧ୍ୟରୁ ଏହା ଅନ୍ୟତମ ଏବଂ ଏହାଦ୍ୱାରା ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ସେମାନଙ୍କ ପରିବାରର ଆର୍ଥିକ ବୋଝ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ। ଏହି ପ୍ରୟାସ ଜାତୀୟ ଶିକ୍ଷା ନୀତି (NEP) ୨୦୨୦, ଓଡ଼ିଶା ଭିଜନ ୨୦୩୬ ଏବଂ ଓଡ଼ିଶା ଭିଜନ ୨୦୪୭ ର ଉଦ୍ଦେଶ୍ୟକୁ ପୂରଣ କରିବାରେ ସହାୟକ ହେବ। “ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି” କେବଳ ଏକ ଫି’ ଛାଡ଼ କାର୍ଯ୍ୟକ୍ରମ ନୁହେଁ। ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଓଡ଼ିଶାର ପ୍ରତ୍ୟେକ ଶିଶୁ ଏବଂ ଯୁବକଯୁବତୀଙ୍କୁ ଶିକ୍ଷା ଗ୍ରହଣର ସମାନ ସୁଯୋଗ ମିଳିବା ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସ ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ସଶକ୍ତ କରିବ ଏବଂ ଜ୍ଞାନ, ସୁଯୋଗ ଓ ସାମଗ୍ରିକ ବିକାଶ ଉପରେ ଆଧାରିତ ଏକ “ବିକଶିତ ଓଡ଼ିଶା”ର ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Post navigation Odisha Cabinet approves 12 Proposals, pushes for Free Education Bank Fraud in Cuttack: ୩.୨୫ କୋଟି ଟଙ୍କା ଠକେଇ ମାମଲା; ୟୁକୋ ବ୍ୟାଙ୍କର ପୂର୍ବତନ ଶାଖା ମୁଖ୍ୟ ଶିବ ପ୍ରସାଦ ଦାସ ଗିରଫ