ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇ ନିଖୋଜ ଘଟଣା ଏବେ ନୂଆ ମୋଡ ନେଇଛି। ଡାକ୍ତର ରାତିରେ ହଠାତ୍ ନିଖୋଜ ହେବା ଏବଂ ତାଙ୍କ କ୍ୱାଟର ଆଗରେ ନକ୍ସଲଙ୍କ ପୋଷ୍ଟର ଲାଗିବାକୁ ନେଇ ତାଙ୍କୁ ନକ୍ସଲଙ୍କ ଅପହରଣ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ପୁଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ ଡାକ୍ତର ଅମ୍ଲାନ ଆଇପିଏଲ ଖେଳି ଋଣଭାର ହୋଇଛନ୍ତି। ଏଥିସହ ସେ ବ୍ୟାଙ୍କ ଏବଂ ବନ୍ଧୁଙ୍କଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଋଣ କରିଛନ୍ତି। ଯାହାଫଳରେ ସେ ଏଭଳି ନାଟକ ରଚିଥିବା ପୁଲିସ କହିଛି। ଗୋଟିଏ ପଟେ ଏସପି, ଏସଡିପିଓ ଟିମ ଗଠନ କରି ଡାକ୍ତରଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳ ସଚିନ ପାଵାର ମଧ୍ୟ ଦୁଇ ତିନୋଟି ଟିମ କରି ଡାକ୍ତରଙ୍କ ସନ୍ଧାନରେ ଲାଗି ପଡିଛନ୍ତି।

ସୂଚନା ଯୋଗ୍ୟ ଯେ,ଆଜି ସକାଳେ ଡାକ୍ତର ଅମ୍ଲାନଙ୍କ ବାପା ଅବନି ଭୋଇ, ମାଆ ବିନୋଦିନୀ ସାମଲ,ମାମୁଁ ମନୋଜ କୁମାର ସାମଲ,ଭଉଣୀ,ସ୍ବାଗତିକା ଭୋଇ,ମଉସା ରବୀନ୍ଦ୍ର କୁମାର ପ୍ରଧାନ ଆଜି ମାଲକାନଗିରିରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଥିଲେ। ତୁରନ୍ତ  ପୁଅକୁ ଖୋଜି ବାହାର କରିବାକୁ ନେହୁରା ହୋଇଥିଲେ। ଜିଲ୍ଲାପାଳ ଶ୍ରୀ ପାଵାର ମଧ୍ୟ ଟିମ ଗଠନ କରାଯାଇ ସନ୍ଧାନ ନିଆଯାଉଥିବା କୁହାଯାଇଛି। ପରିବାର ଲୋକେ ଗଣମାଧ୍ୟମ ଆଗରେ ନକ୍ସଲଙ୍କୁ ନିବେଦନ କରିଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଷ ତାଙ୍କୁ ଛାଡିଦିଅନ୍ତୁ। ନକ୍ସଲ ଡାକ୍ତରଙ୍କୁ ଅପହରଣ କରିନଥିବା ପୁଲିସ ଯୁକ୍ତି ବାଢିଛି। ଯେଉଁ ଚିଠି ଡାକ୍ତରଙ୍କ କ୍ବାଟର ସାମ୍ନାରୁ ମିଳିଛି ତାହା ମିଥ୍ୟା । ଏହି ଚିଠିର ତଦନ୍ତ ମଧ୍ୟ କରାଯାଉଛି। ଚିଠିରେ ଲେଖାଯାଇଥିବା ଅକ୍ଷରଗୁଡିକୁ ଯାଞ୍ଚ କରାଯାଉଛି। ଚିଠି ନିଶ୍ଚିତ ଭାବେ ପ୍ରାୟୋଜିତ ବୋଲି ପୁଲିସ ଅନୁମାନ କରୁଛି। ତଦନ୍ତ ପରେ ସବୁ ପର୍ଦାଫାସ ହେବ ବୋଲି ପୁଲିସ କହିଛି। ଲକ୍ଷାଧିକ ଟଂକା ଆଇପିଏଲରେ ଡାକ୍ତର ହାରିଥିବା କୁହାଯାଇଛି। ପୁଣି ସେ ଯିବା ପୂର୍ବରୁ ଏଟିଏମରୁ ଟଙ୍କା ଉଠାଇ ନେଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *