ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି। ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି।

୧୯୭୨ ଜାନୁଆରୀ ୬ ରେ ଜନ୍ମିତ ମୋହନ ଚରଣ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ରହିଆସିଛନ୍ତି । ଓଡ଼ିଶା ବିଧାନ ସଭାରେ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ମୋହନ ମାଝୀଙ୍କ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହେଇଥିଲା । ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି। ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ ‌କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି। ଏଥି ସହିତ ଓଡ଼ିଶା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହୋଇଯାଇଛି।

Leave a Reply

Your email address will not be published. Required fields are marked *