ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷ ହୋଇଛି କଳ୍ପନାଜଳ୍ପନା। ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍ନରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ତତ୍ତ୍ବାବଧାନରେ ବସିଥିବା ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।

ଓଡ଼ିଶାର ଆଦିବାସୀ ଜନତାଙ୍କୁ ସମ୍ମାନ ଜଣାଇ ବିଜେପି କେନ୍ଦୁଝର ବିଧାୟକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀଙ୍କୁ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ଜୁଏଲ ଓରାମଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଚୟନ କରାଯାଇ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ସେହିଭଳି ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ ‌କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ।

ଚଳିତ ନିର୍ବାଚନରେ କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ ଓ ନବରଙ୍ଗପୁର ଭଳି ଆଦିବାସୀ ଅଞ୍ଚଳରେ ବିଜେପି ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ହାସଲ କରିଛି। ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନ ଜିତି ବହୁମତ ହାସଲ କରିଛି। ସୂଚନାଯୋଗ୍ୟ, ଆଦିବାସୀ ଅଞ୍ଚଳର ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ବିଜେପି ରାଷ୍ଟ୍ରପତି କରିଥିଲା। ଏହା ହେଉଛି ଓଡ଼ିଶାର ପଛୁଆ ବର୍ଗଙ୍କ ପ୍ରତି ଥିବା ବିଜେପିର ସମ୍ମାନ।

ମୋହନ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ। ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି। ଓଡ଼ିଶା ବିଧାନସଭାରେ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୦୦, ୨୦୦୯, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍‌ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି। ୨୦୦୫ ଫେବୃଆରୀ ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ।

ଶ୍ରୀ ମାଝୀ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧୀନ ରାଇକଳାରେ ୧୯୭୨ ମସିହା ଜାନୁଆରୀ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଆଇନରେ ସ୍ନାତକ କରିଛନ୍ତି। ଶିକ୍ଷାର ଉନ୍ନତି, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଜୀବନଧାରଣମାନରେ ପରିବର୍ତ୍ତନ ପାଇଁ ସେ ସର୍ବଦା କାର୍ଯ୍ୟରତ। ସେ ସରସ୍ବତୀ ଶିଶୁ ମନ୍ଦିରରେ ଗୁରୁଜୀ ଭାବେ ଶିକ୍ଷାଦାନ କରିବା ସହ ସରପଞ୍ଚ ସମିତିର ସଭ୍ୟ ମଧ୍ୟ ରହିଛନ୍ତି। ସର୍ବୋପରି ଲୋକେ ତାଙ୍କୁ ନୂଆ ଚେହେରା ଭାବେ ଗ୍ରହଣ କରିବେ ଓ ଭାରତୀୟ ଜନତା ପାର୍ଟିର ଏଭଳି ନିଷ୍ପତ୍ତିକୁ ସମ୍ମାନ ଦେବେ।

Leave a Reply

Your email address will not be published. Required fields are marked *