ରାଜ୍ୟ ରାଜନୀତିକୁ ହୁଲଚୁଲ କରୁଛି ମୋଦିଙ୍କ ଏକ୍ସ୍ ପୋଷ୍ଟ। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ବିଶାଳ ରୋଡ ସୋ ପରେ ମୋଦି ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଓଡ଼ିଆରେ ଲେଖିଛନ୍ତି ଯେ,ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ। ଓଡ଼ିଶାର ଏକ ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଏହାକୁ ଆହୁରି ସ୍ୱତନ୍ତ୍ର କରିଛି । ଆମ ସରକାର ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବ । ଗତ ଏକ ଦଶନ୍ଧି ମଧ୍ୟରେ ଆମ ସରକାର ଭୁବନେଶ୍ୱରବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାର ସୁଯୋଗ ପାଇଛି । ବିଭିନ୍ନ ସଡ଼କ ପ୍ରକଳ୍ପ ସମେତ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନକୁ ୪ ଲେନ୍ କରିବା ଦ୍ୱାରା ଯୋଗାଯୋଗରେ ଉନ୍ନତି ଆସିଛି। ବିଭିନ୍ନ ରାଜପଥ ପ୍ରକଳ୍ପ କାମ ଜାରି ରହିଛି ଯାହା ପଶ୍ଚିମ ଓ ପୂର୍ବ ଓଡ଼ିଶା ମଧ୍ୟରରେ ଯୋଗାଯୋଗରେ ଉନ୍ନତି ଆଣିବ। ଏକାଧିକ ବନ୍ଦେ ଭାରତ ଟ୍ରେନ୍ ଭୁବନେଶ୍ୱରକୁ ମଧ୍ୟ ଉପକୃତ କରିଛି ଏବଂ ରାଉରକେଲା ଓ ପୁରୀ ସହିତ ଏହି ସହରର ଯୋଗାଯୋଗରେ ଉନ୍ନତି ଆଣିଛି। ବର୍ଦ୍ଧିଷ୍ଣୁ ଯାତ୍ରୀ ସଂଖ୍ୟାର ମୁକାବିଲା ପାଇଁ ସହରର ରେଳ ଷ୍ଟେସନକୁ ମଧ୍ୟ ସମ୍ପ୍ରସାରିତ କରାଯିବ । ଆମ ସରକାର ଓଡ଼ିଶା ଓ ଭୁବନେଶ୍ୱରରେ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ଆମ କାର୍ଯ୍ୟକାଳରେ ହିଁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା । ଆଇଆଇଟି-ଭୁବନେଶ୍ୱରକୁ ମଧ୍ୟ ଏହାର ନିଜସ୍ୱ କ୍ୟାମ୍ପସ ମିଳିଛି ଯାହା ଦ୍ୱାରା ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ଏବଂ ନବସୃଜନର କେନ୍ଦ୍ରସ୍ଥଳୀରେ ପରିଣତ ହେବ ।

ଆମ ସରକାର ବ୍ୟାପକ କାର୍ଯ୍ୟ କରିଥିବା ବେଳେ ବିଜେଡି ତୃଣମୂଳ ସ୍ତରର ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି । ସେମାନେ ଓଡ଼ିଶାର ମହାନ ସଂସ୍କୃତି ଓ ଲୋକାଚାରକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୁଝିଛନ୍ତି। ଭୁବନେଶ୍ୱର ଏବଂ ଓଡ଼ିଶା ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହାସହ ରୋଡ ସୋ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ,ଓଡ଼ିଶାରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିବାକୁ ଯାଉଛି। ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି।ମେଣ୍ଟ ଆଲୋଚନା ନେଇ ସ୍ପଷ୍ଟ ମତ ରଖିଛନ୍ତି ମୋଦି। ସେ କହିଛନ୍ତି, ଆମେ ଦୁଇଟି ଅଲଗା ଦଳ। ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। ବିଧାନସଭାରେ ଆମର ଲଢ଼େଇ ଜାରି ରହିଛି। କାରଣ ଓଡ଼ିଆ ଅସ୍ମିତା ଏଠାରେ ବିପଦରେ ପଡ଼ିଛି। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୋଦି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *