ଆଜି ଶପଥ ନେଲେ ଜଷ୍ଟିସ୍ ସଂଜୀବ ଖାନ୍ନା। ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୀବ ଖାନ୍ନା। ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସଞ୍ଜୀବ ଖାନ୍ନାଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜିଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ତାଙ୍କ କାର୍ଯ୍ୟକାଳ ୬ ମାସରୁ ଅଧିକ ରହିବ। ୨୦୨୫ ମେ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ସଂଜୀବ ଖାନ୍ନା। ଦୁଇ ବର୍ଷର କାର୍ଯ୍ୟକାଳ ପରେ ଗତକାଲି ସରିଛି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ। ୨୦୧୯ ଜାନୁଆରୀରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୨୪ ଅକ୍ଟୋବର ୨୪ରେ କେନ୍ଦ୍ର ସରକାର ଜଷ୍ଟିସ୍ ଖନ୍ନାଙ୍କ ନିଯୁକ୍ତି ଘୋଷଣା କରିଥିଲେ। ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ନ୍ୟାୟିକ କ୍ୟାରିୟର ୪ ଦଶନ୍ଧିରୁ ଅଧିକ। ୧୯୮୩ରେ ଦିଲ୍ଲୀ ବାର କାଉନସିଲରେ ଯୋଗ ଦେବା ପରେ ସେ ଦିଲ୍ଲୀ ହାଇକୋର୍ଟଯିବା ପୂର୍ବରୁ ଦିଲ୍ଲୀର ତିସ ହଜାରୀ ଜିଲ୍ଲା ଅଦାଲତରେ ନିଜର ଅଭ୍ୟାସ ଆରମ୍ଭ କରିଥିଲେ। ୨୦୦୫ରେ ସେ ଦିଲ୍ଲୀ ହାଇକୋର୍ଟରେ ପଦୋନ୍ନତି ପାଇଥିଲେ ଏବଂ ୨୦୦୬ରେ ସ୍ଥାୟୀ ବିଚାରପତି ହୋଇଥିଲେ। ଏହାପରେ ସେ କୌଣସି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନକରି ଜାନୁଆରୀ ୨୦୧୯ରେ ସୁପ୍ରିମ୍କୋର୍ଟର ବିଚାରପତି ହୋଇଥିଲେ। ସୁପ୍ରିମ୍କୋର୍ଟରେ ନିଜ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ୍ ଖନ୍ନା ଅନେକ ଐତିହାସିକ ରାୟ ଦେଇଛନ୍ତି। ନିର୍ବାଚନରେ ଇଭିଏମର ଉପଯୋଗୀତା ବଜାୟ ରଖିବା, ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା, ଧାରା ୩୭୦ ଉଚ୍ଛେଦ କୁ ବଜାୟ ରଖିବା ଏବଂ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଲୋକସଭା ନିର୍ବାଚନ ସମୟରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବା ଆଦି ରହିଛି। ଜଷ୍ଟିସ ଖାନ୍ନା ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବ ରାଜ ଖନ୍ନାଙ୍କ ପୁଅ। ସେ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଚ୍ ଆର୍ ଖାନ୍ନାଙ୍କ ପୁତୁରା। ହାଇକୋର୍ଟରେ ବିଚାରପତି ହେବା ପୂର୍ବରୁ ସେ ତାଙ୍କ ପରିବାରର ତୃତୀୟ ପିଢ଼ିର ଓକିଲ ଥିଲେ। ୧୯୬୦ ମସିହା ମେ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସଞ୍ଜୀବ ଖନ୍ନା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଲ’ ସେଣ୍ଟରରୁ ଆଇନ ଅଧ୍ୟୟନ କରିଛନ୍ତି। Post navigation ବଦଳିଲା ଓଡ଼ିଶା ନର୍ସଙ୍କ ଡ୍ରେସ କୋଡ୍ ; ଆସନ୍ତୁ ଜାଣିବା କେଉଁ ବର୍ଗର ନର୍ସ ପିନ୍ଧିବେ କେଉଁ ରଙ୍ଗର ଡ୍ରେସ କୋଡ୍ ନିର୍ବାଚନ ପ୍ରଚାର ନିମନ୍ତେ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ