ରାଜ୍ୟରେ ଅଭିଜ୍ଞତାଭିତ୍ତିକ ଏବଂ ପରିବେଶ ଅନୁକୂଳ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭର୍ଚୁଆଲ୍ ମାଧ୍ୟମରେ ‘ଇକୋ ରିଟ୍ରିଟ୍ ୨୦୨୬–୨୭’ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି। ସାତକୋଶିଆ, ଦାରିଙ୍ଗବାଡ଼ି ଏବଂ ହୀରାକୁଦ ଭଳି ତିନୋଟି ପର୍ଯ୍ୟଟନ ସ୍ଥଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁଠାରେ ମୋଟ ୧୨୫ଟି ଲଗ୍‌ଜୁରୀ ଟେଣ୍ଟ୍ ନିର୍ମାଣ କରିବାର ଯୋଜନା ରହିଛି।

ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରୁ ଏହି ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟକଙ୍କ ସନ୍ତୋଷ ଓ ଅଭିଜ୍ଞତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସେ ମତବ୍ୟକ୍ତ କରିଛନ୍ତି ଯେ କୌଣସି ପର୍ଯ୍ୟଟନ ସ୍ଥଳୀର ପ୍ରକୃତ ସଫଳତା କେବଳ ଭୌଗୋଳିକ ସୌନ୍ଦର୍ଯ୍ୟରେ ସୀମିତ ନୁହେଁ, ବରଂ ପର୍ଯ୍ୟଟକମାନେ ସେଠାରୁ ସାଉଁଟି ନେଉଥିବା ସ୍ମରଣୀୟ ଅନୁଭୂତି ହିଁ ଏହାର ପରିଚୟ ସୃଷ୍ଟି କରେ। ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର, ଘରୋଇ ଉଦ୍ୟୋଗୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ବିଳାସପୂର୍ଣ୍ଣ ଟେଣ୍ଟ୍ ରହଣି ସହିତ ପ୍ରକୃତି ପର୍ଯ୍ୟଟନ, ରୋମାଞ୍ଚକର ଦୁଃସାହସିକ କ୍ରୀଡ଼ା, ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଆଞ୍ଚଳିକ କଳା-ସଂସ୍କୃତିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିବ। ଚଳିତ ବର୍ଷ ଏହି ବ୍ୟବସ୍ଥାକୁ ଅଧିକ ପେସାଦାର ଏବଂ ସୁପରିଚାଳିତ କରିବା ପାଇଁ ‘ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ’ ମଡେଲ୍ ଲାଗୁ କରାଯାଇଛି, ଯାହା ମାଧ୍ୟମରେ ମନୋନୀତ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ଯୋଜନା ମୁତାବକ ହୀରାକୁଦ ଏବଂ ସାତକୋଶିଆରେ ୫୦ଟି ଲେଖାଏଁ ଏବଂ ଦାରିଙ୍ଗବାଡ଼ିରେ ୨୫ଟି ଲଗ୍‌ଜୁରୀ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି। ଦାରିଙ୍ଗବାଡ଼ି ଏବଂ ସାତକୋଶିଆ ଇକୋ ରିଟ୍ରିଟ୍ ଅତି କମରେ ୧୫୦ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ଥିବା ବେଳେ ହୀରାକୁଦରେ ଏହି ସୁବିଧା ଅତିକମରେ ୧୨୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏହି ଅଭିନବ ପ୍ରୟାସ କେବଳ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ ବିଭବକୁ ପ୍ରଦର୍ଶିତ କରିବ ନାହିଁ, ବରଂ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗୀତା ସୃଷ୍ଟି କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *