ଦିଲ୍ଲୀର ଏକ ଆଞ୍ଚଳିକ ଅଦାଲତ ସିଜେପି ର ତିନି ଜଣ ପ୍ରମୁଖ ନେତାଙ୍କୁ ମୁକ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ପାଇଁ ରାଜଧାନୀରେ ପହଞ୍ଚିବା ପରେ ପୋଲିସ ଦ୍ୱାରା ଅଟକ ହୋଇଥିବା ସିଜେପି ନେତା ଅଭିଜିତ୍ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀର ଏକ୍ସିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ କୋର୍ଟ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ନେତାମାନଙ୍କୁ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯିବା ପରେ କୋର୍ଟ ଏହି ମୁକ୍ତି ଆଦେଶ ପାରିତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ସିଜେପି ଲିଗାଲ ସେଲ୍ ମୁଖ୍ୟ ରତ୍ନା ସିଂହ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ତିନି ଜଣ ନେତାଙ୍କୁ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦିଆଯାଇଛି। ତେବେ ମୁକ୍ତି ସହିତ କୋର୍ଟ ସେମାନଙ୍କ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ରଖିଛନ୍ତି। ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ତିନି ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସେମାନଙ୍କ ଠାରୁ ବଣ୍ଡ୍ ମଧ୍ୟ ସ୍ୱାକ୍ଷର କରାଯାଇଛି। ଏହା ସହିତ ଜନ୍ତରମନ୍ତର ଯିବା ଉପରେ ମଧ୍ୟ କୋର୍ଟ କଟକଣା ଲଗାଇଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା କ୍ଷଣି ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକ ରଖି ସାଉଥ୍ ୱେଷ୍ଟ୍ ଡିଷ୍ଟ୍ରିକ୍ଟ୍, ଦିଲ୍ଲୀ କ୍ୟାଣ୍ଟ୍ ପୋଲିସ ଷ୍ଟେସନସ୍ଥିତ ସ୍ୱତନ୍ତ୍ର ଏକ୍ସିକ୍ୟୁଟିଭ୍ ମ୍ୟାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରିଥିଲା। ସେମାନଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୨୬ ଏବଂ ଧାରା ୧୭୦ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଗିରଫଦାରୀ ଓ ଅଟକ କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି। ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, ଶନିବାର ଦିନ ପ୍ରତିବାଦ ସ୍ଥଳରୁ ପ୍ରାୟ ୨,୫୦୦ ରୁ ଊର୍ଦ୍ଧ୍ୱ ପ୍ରତିବାଦକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ପ୍ରତିବାଦ ପୂର୍ବରୁ ରାତିସାରା ଚାଲିଥିବା ଅଭିଯାନରେ ପ୍ରାୟ ୧,୦୦୦ ରୁ ଅଧିକ ଲୋକଙ୍କୁ ପ୍ରତିବନ୍ଧକମୂଳକ ଅଟକ ରଖାଯାଇଥିଲା। Post navigation Low Pressure Rain Alert: ୧୩ରେ ବଙ୍ଗୋପସାଗରରେ ଲଘୁଚାପ