ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି । ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଡ଼ିସେମ୍ବର ୧୧ ତାରିଖ ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଦେବ୍ରୀଗଡ଼ ଓ ଖିଣ୍ଡା ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧାର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ । ସେ ପତ୍ରରେ ଦର୍ଶାଇଥିଲେ ଯେ, ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମଗ୍ର ଭାରତବର୍ଷରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।

ଉକ୍ତ ଦୁଇଟି ଐତିହାସିକ ସ୍ଥାନ ଅପାର ସମ୍ଭାବନାର ଅଞ୍ଚଳ । ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡିକରେ ହୀରାକୁଦ, ହୁମା ମନ୍ଦିର ଭଳି ପର୍ଯ୍ୟଟନସ୍ଥଳୀ ଥିବା ବେଳେ ସମ୍ବଲପୁର ଜିଲ୍ଲା ଦେଶ ଏବଂ ଦେଶ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯଥାର୍ଥ ସମ୍ଭାବନା ରଖୁଛି । କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଷୟରେ ପତ୍ର ଯୋଗେ ଅବଗତ କରାଇବା ସହ ଏହି ଦୁଇଟି ସ୍ଥାନ ଗୁଡିକର ବିକାଶ ସହ ପ୍ରଚାର ପ୍ରସାର ହେଲେ ସ୍ଥାନୀୟ ଅର୍ଥନୀତି ମଜଭୂତ ହୋଇପାରିବ ବୋଲି କହିଥିଲେ । ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଓ ଐତିହ୍ୟର ପ୍ରସାର ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *