congress-raises-questions-over-rourkela-circuit-house-arms-case-demands-probe
ରାଉରକେଲା ସର୍କିଟ୍ ହାଉସରୁ ଅସ୍ତ୍ରଶସ୍ତ୍ର ସହ ୩ ଜଣଙ୍କ ଗିରଫ ଘଟଣାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହି ଘଟଣାକୁ ନେଇ କଂଗ୍ରେସ ଭବନରେ ଦଳର ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
 
ସାମ୍ବାଦିକ ସମ୍ମିଳନୀରେ ଓପିସିସିର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଅଭିଯୋଗ କରି କହିଥିଲେ ଯେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତା ବଢ଼ୁଥିବା ବେଳେ ରାଉରକେଲାରେ ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି । ରାଉରକେଲା ପାନପୋଷ ସର୍କିଟ୍ ହାଉସରୁ ଅସ୍ତ୍ରଶସ୍ତ୍ର ସହ ଅପରାଧୀଙ୍କ ଗିରଫ ଘଟଣା ଅନେକ ପ୍ରଶ୍ନ ଉଠାଇଛି ବୋଲି ସେ କହିଥିଲେ ।
 
କଂଗ୍ରେସର ଅଭିଯୋଗ ଅନୁଯାୟୀ, ଗତ ୧୪ ତାରିଖରେ ରଘୁନାଥପାଲି ପୋଲିସ ସୂଚନା ପାଇ ସର୍କିଟ୍ ହାଉସର ୧୦୩ ନମ୍ବର ରୁମରେ ଚଢ଼ାଉ କରି ବିକାଶ, ରାଜେଶ ଓ ସାଗର ନାମକ ୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ୫ ଜଣ ସଦସ୍ୟ ଫେରାର ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।
 
ସୋନାଲି ସାହୁଙ୍କ ଅଭିଯୋଗ ଅନୁସାରେ, ଗିରଫ ହୋଇଥିବା ରାଜେଶ ପୂର୍ବରୁ ମଧ୍ୟ ବନ୍ଧୁକ କାରବାର ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଅନ୍ୟ ଦୁଇ ଅଭିଯୁକ୍ତ ବିକାଶ ଓ ସାଗରଙ୍କ ବିରୋଧରେ ମଧ୍ୟ ପୂର୍ବରୁ ଅପରାଧିକ ମାମଲା ଥିବା ସେ ଦାବି କରିଛନ୍ତି ।
 
ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କ ଭୂମିକାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । ସୋନାଲି ସାହୁ ଅଭିଯୋଗ କରିଛନ୍ତି ଯେ, ସର୍କିଟ୍ ହାଉସର ୧୦୧ ନମ୍ବର ରୁମ୍ ପ୍ରକାଶ ପାଶ୍ୱାନଙ୍କ ନାଁରେ ବୁକ୍ ହୋଇଥିବା ସତ୍ତ୍ୱେ ସେ ୧୦୩ ଓ ୧୦୮ ନମ୍ବର ରୁମରେ ରହୁଥିଲେ । ଏହି ଦୁଇଟି ରୁମ୍ କାହା ନାଁରେ ଏବଂ କାହା ସୁପାରିଶରେ ବୁକ୍ ହୋଇଥିଲା, ତାହାର ସ୍ପଷ୍ଟତା ଆବଶ୍ୟକ ବୋଲି ସେ କହିଛନ୍ତି ।
 
ସେ ପ୍ରଶ୍ନ କରିଛନ୍ତି, ସର୍କିଟ୍ ହାଉସରେ ରୁମ୍ ବୁକିଂ ପାଇଁ କେଉଁ ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦଙ୍କ ସୁପାରିଶ ରହିଥିଲା? ଉପଜିଲ୍ଲାପାଳ କେଉଁ ଆଧାରରେ ଏହି ବୁକିଂକୁ ଅନୁମୋଦନ କରିଥିଲେ? ଯେଉଁ ବ୍ୟକ୍ତିଙ୍କ ସୁପାରିଶରେ ରୁମ୍ ବୁକ୍ ହୋଇଥିଲା, ତାଙ୍କର ଗିରଫ ଅଭିଯୁକ୍ତମାନଙ୍କ ସହ ସମ୍ପର୍କ କ’ଣ? ଏହି ସମସ୍ତ ଦିଗରେ ତଦନ୍ତ ହେବା ଦରକାର ବୋଲି କଂଗ୍ରେସ ଦାବି କରିଛି ।
 
ଜୁଲାଇ ୨୧ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସର୍କିଟ୍ ହାଉସରେ ରୁମ୍ କିପରି ଏବଂ କାହା ଅନୁମତିରେ ବୁକ୍ ହୋଇଥିଲା, ପୋଲିସକୁ ଏ ସମ୍ପର୍କରେ ସୂଚନା କିଏ ଦେଇଥିଲା ଏବଂ ଏତେଦିନ ଧରି ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ସେଠାରେ ରହୁଥିବା ସତ୍ତ୍ୱେ ଗୁଇନ୍ଦା ବିଭାଗ କିପରି ଏହାର ସୂଚନା ପାଇଲା ନାହିଁ—ଏନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
 
ସେହିପରି ଜବତ ହୋଇଥିବା ବନ୍ଧୁକ ଓ ଜୀବନ୍ତ ଗୁଳି କେଉଁଠାରୁ ଆସିଥିଲା, ଏହା ପଛରେ ରାଜ୍ୟ ବାହାରର କୌଣସି ଅପରାଧୀ ଗୋଷ୍ଠୀ କିମ୍ବା ମାଫିଆର ସମ୍ପୃକ୍ତି ଅଛି କି ନାହିଁ, ତାହା ମଧ୍ୟ ତଦନ୍ତ କରାଯିବା ଦରକାର ବୋଲି କଂଗ୍ରେସ କହିଛି ।
 
ସୋନାଲି ସାହୁ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଏହି ଅସ୍ତ୍ରଶସ୍ତ୍ର କାହାକୁ ହତ୍ୟା କରିବା ପାଇଁ ଅଣାଯାଇଥିଲା? ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିଲା ନା ବ୍ୟବସାୟିକ ବିବାଦ? ଏହି ଅଭିଯୁକ୍ତମାନଙ୍କ ସହ ପ୍ରକାଶ ପାଶ୍ୱାନଙ୍କ ସମ୍ପର୍କ କ’ଣ ଏବଂ ସେମାନଙ୍କ ମଧ୍ୟରେ କେବେଠାରୁ ସମ୍ପର୍କ ରହିଛି, ତାହା ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।
 
ଏଥିସହ ପ୍ରକାଶ ପାଶ୍ୱାନ, ସମ୍ପୃକ୍ତ ଉପଜିଲ୍ଲାପାଳ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗତ ୬ ମାସର ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚ କରାଯିବାକୁ କଂଗ୍ରେସ ଦାବି କରିଛି । ବିଜେପି ନେତା ଅଭିଷେକ ଧଳ, ପ୍ରକାଶ ପାଶ୍ୱାନ ଓ ଖୁସବୁ ଯାଦବଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ଅଭିଯୁକ୍ତମାନଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଦଳ କହିଛି ।
 
ପ୍ରକାଶ ପାଶ୍ୱାନଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନାହିଁ ବୋଲି ମଧ୍ୟ କଂଗ୍ରେସ ପ୍ରଶ୍ନ କରିଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ବହିଷ୍କାର କରିଥିବା ଦାବି କରି କଂଗ୍ରେସ କହିଛି ଯେ, ଯଦି ତାଙ୍କ ବିରୋଧରେ ଏତେ ଗୁରୁତର ଅଭିଯୋଗ ରହିଛି, ତେବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ କାହିଁକି ନିଆଯାଉନାହିଁ?
 
କଂଗ୍ରେସ ଆହୁରି ପ୍ରଶ୍ନ କରିଛି ଯେ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପରିଚିତ ବ୍ୟକ୍ତି ହୋଇଥିବାରୁ ପ୍ରକାଶ ପାଶ୍ୱାନଙ୍କୁ କ’ଣ ତଦନ୍ତରୁ ବାଦ ଦିଆଯିବ? ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତି, ରୁମ୍ ବୁକିଂର ପ୍ରକ୍ରିୟା, ଅଭିଯୁକ୍ତମାନଙ୍କ ଅପରାଧିକ ପୃଷ୍ଠଭୂମି ଓ ଅସ୍ତ୍ରଶସ୍ତ୍ରର ଉତ୍ସକୁ ନିରପେକ୍ଷ ଭାବେ ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଆଣିବାକୁ ଦଳ ଦାବି କରିଛି ।
 
ଶେଷରେ ସୋନାଲି ସାହୁ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯଦି ସରକାର ଏହି ଘଟଣା ସମ୍ପର୍କରେ ସବୁକିଛି ଜାଣିଛନ୍ତି, ତେବେ ରାଉରକେଲାରେ କାହା ବିରୋଧରେ ଏହି ହତ୍ୟା ଯୋଜନା ହୋଇଥିଲା ଏବଂ ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ତାହା ସରକାର ସ୍ପଷ୍ଟ କରନ୍ତୁ ।

By Nirvay

Leave a Reply

Your email address will not be published. Required fields are marked *