କାହିଁକି ବିଜୁ ଜନତା ଦଳ ନେତୃତ୍ୱ ଚିନ୍ତିତ ହେବାକୁ ବାଧ୍ୟ? ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଚେହେରା ଏବଂ ଉଚ୍ଚାରଣରେ ବିବ୍ରତ ଭାବ ଫୁଟି ଉଠୁଛି? ପ୍ରାର୍ଥୀ ମନୋନୟନ ପର୍ବର ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି କିଛି ଚାପର ସମ୍ମୁଖୀନ ହୋଇଛି । କିନ୍ତୁ ଆଗକୁ ପ୍ରଚାର ଗତିଶୀଳ ହେବାମାତ୍ରେ ଅସଲ ଉଷ୍ମତା ଅନୁଭବ କରିବ ବିଜୁ ଜନତା ଦଳ । କିନ୍ତୁ କାହିଁକି?

ଅଧିକାଂଶ ପ୍ରାକ୍‌ ନିର୍ବାଚନୀ ଜନମତ ସର୍ଭେ ଶାସକ ଦଳ ପାଇଁ ଭଲ ଚିତ୍ର ଦେଇ ନାହିଁ । ଯଦିଓ ବିଧାନସଭାରେ ବିଜଦ ଭଲ କରିବ ବୋଲି କୁହାଯାଉଛି, ତେବେ ଲୋକସଭା ନିର୍ବାଚନରେ ଭାଜପା ସବୁଠୁ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଉଛି । ଥରେ ମୋଦୀ-ଶାହା-ଯୋଗୀ ତ୍ରିମୂର୍ତ୍ତି ପ୍ରଚାର ମଇଦାନକୁ ଓହ୍ଲାଇ ଆସିବା ପରେ ସାଙ୍ଘାତିକ ଚାପର ସାମ୍ନା କରିବ ବିଜୁ ଜନତା ଦଳ ।

ମୁଖ୍ୟମନ୍ତ୍ରୀଙ୍କ ଚେହେରାରୁ ଅସହାୟତା ବାରି ହୋଇପଡ଼ୁଛି । କିଛିଦିନ ତଳେ ଏକ ଭିଡିଓ ଜାରି କରିଥିଲା ବିଜଦ । ଯେଉଁଥିରେ ନବୀନ ବାବୁ ମୋବାଇଲରେ କାହା ସହ କଥା ହେଉଛନ୍ତି । ବିକାଶ କାର୍ଯ୍ୟ ସମ୍ପର୍କରେ ପଚାରୁଛନ୍ତି । ପରେ ବସିଯାଉଛନ୍ତି ଚେୟାରରେ । ଆଉ ଜଣେ କେହି ତାଙ୍କ କାନ ପାଖରେ ମୋବାଇଲ ଧରୁଛି । ସେ କେମିତି କାମ ଚାଲିଛି ବୋଲି ପଚାରୁଛନ୍ତି । କିନ୍ତୁ ଯେତେବେଳେ ନିଜେ ଫୋନ ଧରିଥିଲେ ସେତେବେଳେ ତାଙ୍କ ହାତ କମ୍ପୁଥିଲା । ଏଭଳି ଭିଡିଓ ଜାରି କରିବାର ଆବଶ୍ୟକତା ନଥିଲା । ବୟସ ଏବଂ ଶାରୀରିକ ଅସୁସ୍ଥତାକୁ ଦେଖାଇ ସବୁ ସମୟରେ ଅନୁକମ୍ପା ହାସଲ କରାଯାଇ ନପାରେ । ତେବେ ସେତେବେଳେ ପ୍ରଶ୍ନ ଉଠିଥିଲା ଯେ ସେ କାହା ସହ କଥା ହେଉଛନ୍ତି?

ମଙ୍ଗଳବାର ଦିନ ଆଉ ଏକ ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଭିକେ ପାଣ୍ଡିଆନ ଇନ୍‌ଷ୍ଟାଗ୍ରାମରେ ଜାରି କରିଛନ୍ତି । ଏଥିରେ ଯେଉଁମାନଙ୍କ ସହ ମୋବାଇଲରେ କଥା ହେଉଛନ୍ତି ନବୀନ, ସେମାନଙ୍କ ଫଟୋ ଦେଖାଯାଉଛି । ସେହି କଥା ପଚାରୁଛନ୍ତି । କାମ କେତେଦୂର ଗଲା । କ’ଣ ହେଲା । ଇତ୍ୟାଦି ଇତ୍ୟାଦି…. ।

କିନ୍ତୁ ପ୍ରଶ୍ନ ହେଉଛି, ନିର୍ବାଚନ ଆସିଯିବା ପରେ ଏବେ ସେ କାହିଁକି ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ବାବଦରେ ପଚାରି ବୁଝୁଛନ୍ତି?

ଲୋକଙ୍କ ଭଲମନ୍ଦ ବୁଝିବା ଦାୟିତ୍ୱ ସେ ବର୍ଷକ ପୂର୍ବେ ତାଙ୍କର ତକ୍ରାଳୀନ ସଚିବ ପାଣ୍ଡିଆନ ଙ୍କ ଉପରେ ଲଦି ଦେଇଥିଲେ କାହିଁକି? ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଭେଟୁ ନାହାନ୍ତି । ନିଜ ଅଭିଯୋଗ ପ୍ରକୋଷ୍ଠକୁ ୧୬ ବର୍ଷ ହେଲା ଯାଇନାହାନ୍ତି ।

ଲୋକସେବା ଭବନ ଯାଆନ୍ତି ନାହିଁ । ବିଭିନ୍ନ କାର୍ଯ୍ୟର ସମୀକ୍ଷା ବରଂ ପାଣ୍ଡିଆନ ହିଁ କରନ୍ତି । ଏବେ କିନ୍ତୁ କାହିଁକି ସେ ବିକାଶମୂଳକ କାର୍ଯ୍ୟର ହିସାବ ନିକାଶ କରୁଛନ୍ତି? ଏହା ଲୋକଙ୍କଦ୍ୱାରା ଗ୍ରହଣୀୟ ହେବ କି? ଅର୍ଥାତ ନିର୍ବାଚନ ପାଇଁ ନିଜକୁ ଲୋକଙ୍କୁ ଦେଖାଇବା ପାଇଁ ତାଙ୍କର ଏହି ପ୍ରୟାସକୁ କାହିଁକି ଗ୍ରହଣ କରିବେ ଲୋକେ? ଗତ ଦୁଇବର୍ଷ ହେଲା ପାଣ୍ଡିଆନଙ୍କୁ ବିକାଶ ପୁରୁଷ ଭାବେ ଦେଖାଇ ଆସୁଛି । ଯାହା ୨୨ ବର୍ଷରେ ହୋଇ ନଥିଲା, ତାହା ଦୁଇବର୍ଷରେ ହେଉଛି ବୋଲି ଯୁକ୍ତି କରୁଛି ବିଜଦ । ଏବେ ମୁନ୍ଦରେ ଚଡ଼କ ଯୋଗୁ ଦଳକୁ ବେଶୀ ମନେପଡ଼ିଯାଉଛନ୍ତି ନବୀନ । କିନ୍ତୁ ସମସ୍ୟା କେଉଁଠି?

ଗତ ୫ ବର୍ଷ ହେଲା ଲୋକଙ୍କ ଭିତରେ ସ୍ପଷ୍ଟ ଧାରଣା ହୋଇସାରିଛି ଯେ, ମୋଦୀ ସରକାରଙ୍କ ପାଖରେ ବିଜଦ ଆତ୍ମସମର୍ପଣ କରିଛି । ଭାଜପା ସହ ବିଜଦ ସମ୍ପର୍କ ଅତି ମଧୁର । ସେଥିପାଇଁ ରାଜ୍ୟ ହକ ମାଗିବା ଛାଡ଼ି ଦେଇଛି ଶାସକ ଦଳ । ମେଣ୍ଟ ପାଇଁ ବିଜଦ ନେତୃତ୍ୱର ଅସମ୍ଭବ ଆଗ୍ରହ ସଂଖ୍ୟାଲଘୁ ଭୋଟରଙ୍କ ଭିତରେ ଏକ ଭିନ୍ନ ପ୍ରତିକି୍ରୟା ସୃଷ୍ଟି କରିଛି । ଯେଉଁ ଭୋଟ ବ୍ୟାଙ୍କ ୨୦୦୮ କନ୍ଧମାଳ ଦଙ୍ଗା ପରେ ବିଜଦ ଗଢ଼ିଥିଲା, ତାହା ଗତ ୫ ବର୍ଷ ଭିତରେ ଭାଙ୍ଗିରୁଜି ଚୁରମାର । ଖ୍ରୀଷ୍ଟିଆନ ଏବଂ ମୁସଲିମ ଭୋଟର ନବୀନ ଏବଂ ବିଜଦକୁ ଅତି ସନ୍ଧେହ ଆଖିରେ ଦେଖୁଛନ୍ତି ।

ଏହି ସଂଖ୍ୟାଲଘୁ ଭୋଟ ଆଗାମୀ ନିର୍ବାଚନରେ କଂଗ୍ରେସ ମୁହାଁ ହେବା ସଙ୍କେତ ମିଳୁଛି । ରାଉରକେଲାର ଭାଜପା ପ୍ରାର୍ଥୀ ଦିଲୀପ ରାୟଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ତରଫରୁ ଯେଭଳି ଭବ୍ୟ ସମ୍ବର୍ଦ୍ଧନା ଦିଆଗଲା, ତାହା ସୂଚାଇ ଦେଉଛି ଯେ, ବିଜଦ ଉପରୁ ସେମାନଙ୍କର ମୋହ ଭଙ୍ଗ ହେଉଛି । କିନ୍ତୁ ଭାଜପା ପ୍ରାର୍ଥୀଙ୍କୁ କାହିଁକି? ହୋଇପାରେ ଏହା ବିଜଦକୁ ଏକ ଉଚିତ ଶିକ୍ଷା ଦେବା ନିମନ୍ତେ । କିନ୍ତୁ ରାଜ୍ୟର ଅନେକ ଅଞ୍ଚଳରେ ଖ୍ରୀଷ୍ଟିଆନ ଏବଂ ମୁସଲିମ ଭୋଟ କର୍ଣ୍ଣାଟକ ଓ ତେଲଙ୍ଗାନା ପରି କଂଗ୍ରେସ ଆଡ଼କୁ ଯିବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ । ଏଥିପାଇଁ ବିଜଦର ଚିନ୍ତା ବଢ଼ିବା ସ୍ୱାଭାବିକ ।

ଆଦିବାସୀ ଭୋଟର ମଧ୍ୟ ମୁହଁ ଫେରାଉଛନ୍ତି ବିଜଦ ଆଡ଼ୁ । ଆଦିବାସୀଙ୍କ ଜମିକୁ କମ୍ପାନୀ ହାତକୁ ଟେକିଦେବା ନିମନ୍ତେ ନବୀନ ସରକାର ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତାହା ଧରାପଡ଼ିଯିବାରୁ କ୍ୟାବିନେଟ ନିଷ୍ପତ୍ତି ପ୍ରତ୍ୟାହୃତ ହେଲା ସିନା ଆଦିବାସୀ ଭୋଟରଙ୍କ ସନେ୍ଦହ ବଢ଼ିଗଲା । ବିଭିନ୍ନ ସ୍ୱତନ୍ତ୍ର ପରିଷଦ ଗଠନ କରି କେବଳ ରାଜନୈତିକ ଥଇଥାନ କଲେ ସରକାର । ଗତ ୭ବର୍ଷ ଭିତରେ ଆଦିବାସୀଙ୍କ ସମସ୍ୟା ଦୂର ହେଲା ନାହିଁ । ଏହା ଆଗାମୀ ନିର୍ବାଚନରେ ଭୋଟରେ ପ୍ରତିଫଳିତ ହୋଇପାରେ ।

ତା’ଛଡ଼ା ମୋଦୀ ହାୱା । ଓଡ଼ିଶାରେ ମୋଦୀଙ୍କ ଲୋକପି୍ରୟତା ଢେର ଅଧିକ । ହିନ୍ଦୁ ଭୋଟ ଧ୍ରୁବୀକରଣ ହେବ । ଯୁବ ଏବଂ ମଧ୍ୟମ ବର୍ଗ ଭୋଟର ଭାଜପା ଆଡ଼କୁ ଅଧିକ ଢଳିବେ । ଯେଉଁଭଳି ବିଜଦର ବିଧାୟକମାନଙ୍କୁ ଗତ ୫ ବର୍ଷ ଅଣଦେଖା କଲେ ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କୁ ଚାକରବାକର ଭୂମିକାକୁ ଠେଲିଦିଆଗଲା, ତାହା ମଧ୍ୟ ତୃଣମୂଳ ସ୍ତରରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି କରିଛି । ପାନ୍ଦିଆନଙ୍କ ଘନଘନ ଜିଲା ଗସ୍ତ ଏବଂ ଜନ ପ୍ରତିନିଧିଙ୍କୁ ଉପେକ୍ଷା ବିଜଦ ବିରୋଧରେ ଏକ ବଡ଼ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଗତ ନିର୍ବାଚନରେ ଲୋକସଭାରେ ଭାଜପାର ଭୋଟ ହାର ୩୮% ଡେଇଁଥିଲା । ଏଥର ଯଦି ଆଉ ୫% ବଢ଼େ, ତେବେ ଭାଜପା ସପକ୍ଷରେ ଯଦି ସୁନାମି ଆସେ କେହି ବିସ୍ମିତ ହେବେ ନାହିଁ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *