ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଐତିହାସିକ ନିଷ୍ପତ୍ତିକୁ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ସୋସିଆଲ ମିଡିଆ ମାଧ୍ୟମରେ ସ୍ୱାଗତ କରିବା ସହ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ନିଷ୍ପତ୍ତି ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରର ଏକ ବଡ଼ ବିଜୟ ବୋଲି ବଜେପି ନେତା ଅନିଲ ବିଶ୍ୱାଳ ନିଜ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଏହା ନୂତନ ଯୁବ ନେତୃତ୍ୱ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶାପ୍ରକଟ କରିଛନ୍ତି। ପୂର୍ବତନ ବିଜେଡି ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଗଣତନ୍ତ୍ରରେ ଅବିଶ୍ୱାସ ରଖୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଦୀର୍ଘ ଦିନ ଧରି କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା, ଯାହା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିଥିଲା। ୫-ଟି ଭଳି ଶାସନ ବ୍ୟବସ୍ଥା ଆଢ଼ୁଆଳରେ କ୍ୟାମ୍ପସରୁ ଯେପରି ନୂଆ ଯୁବ ନେତୃତ୍ୱ ନ ବାହାରିପାରିବେ, ସେଥିପାଇଁ ଏହା ଏକ ଗଭୀର ଷଡ଼ଯନ୍ତ୍ର ଥିଲା ବୋଲି ସେ ଦାବି କରିଛନ୍ତି। ଏହାସହ ଗତ କିଛି ବର୍ଷ ଧରି ନିର୍ବାଚନ ବନ୍ଦ ଥିବାବେଳେ ଚୁପ୍ ରହିଥିବା ବିଜେଡି ନେତାମାନେ ଏବେ ଗଣମାଧ୍ୟମରେ କାହିଁକି ସ୍ୱର ଉଠାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଶେଷରେ ସେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜର ଗଣତାନ୍ତ୍ରିକ ଅଧିକାର ଓ ଦାୟିତ୍ୱ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନ ସମୟରେ କ୍ୟାମ୍ପସରେ ସକାରାତ୍ମକ ଆଲୋଚନା ଏବଂ ସୁସ୍ଥ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେବା ସହ କଲେଜ ନିର୍ବାଚନର ଅନୁଭୂତି ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ପ୍ରକାଶ କରି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Post navigation Odisha Student Union Elections: ଆସନ୍ତା ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ Student Union Polls in Odisha: ଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ସ୍ୱାଗତ କଲା ବିଜୁ ଛାତ୍ର ଜନତା ଦଳ